ଭୁବନେଶ୍ବର : ଆସନ୍ତା ୨୯ରେ ଓଡ଼ିଶାରେ ପୋଲିସ ମହାନିର୍ଦେଶକ(ଡିଜିପି) ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ମାନେ ଅଂଶଗ୍ରହଣ କରିବେ । ଏଥିରେ ଜାତୀୟ ଏବଂ ରାଜ୍ୟସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ଉକ୍ତ ସମ୍ମିଳନୀରେ ଆଲୋଚନା କରାଯିବ। ପ୍ରଥମ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ । ପରବର୍ତ୍ତୀ ଦୁଇଦିନ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରେ ସରକାରଙ୍କ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ନଭେମ୍ବର ୩୦ ଏବଂ ଡିସେମ୍ବର ୧ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ୨୯ ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଏହି ସମୟରେ ସେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରୋଡ ଶୋ’ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, ସାଂସଦ ଏବଂ ବିଧାୟକ ଆଦି ଦଳୀୟ ନେତା ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇବା ସମ୍ପର୍କରେ ଆଲୋଚନା ହୋଇଥିଲା। ସେଠାରୁ ବିମାନ ବନ୍ଦର ନିକଟରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ପରେ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରୋଡ଼ ଶୋ’ ସମ୍ପର୍କରେ ଆଲୋଚନା ହୋଇଥିଲା । ରୋଡ ଶୋ’ ପରେ ମୋଦୀ ସେଠାରୁ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳୀୟ ବିଧାୟକ, ସାଂସଦ ଏବଂ ପଦାଧିକାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ଡିଜିପି ସମ୍ମିଳନୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ପାଇଁ ରୂପରେଖ ପ୍ରସ୍ତୁତି କରାଯାଇଛି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ସମସ୍ତ ରାଜ୍ୟର ଡିଜିପି ଏବଂ ସୁରକ୍ଷା ଏଜେନ୍ସି ମୁଖ୍ୟମାନେ ଭୁବନେଶ୍ବର ଆସୁଥିବାରୁ ରାଜଧାନୀକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।