ଭାଇଜାଗ୍, ୩୦|୧୧: ଭାଇଜାଗ୍ରେ ଚାଲିଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଗ୍ରୁପ୍ ଡି’ ମ୍ୟାଚ୍ରେ ଓଡ଼ିଶା ପୁଣିଥରେ ପରାଜୟ ବରଣ କରିଛି। ପୂର୍ବରୁ ବିଦର୍ଭ ଓ ରେଳବାଇଠୁ ପରାସ୍ତ ହୋଇଥିବା ଗୋବିନ୍ଦ ପୋଦ୍ଦାରଙ୍କ ଦଳ ତୃତୀୟ ମ୍ୟାଚ୍ରେ ମଧ୍ୟ ପରାସ୍ତ ହୋଇଛି। ଏହି ମ୍ୟାଚରେ ପୁଡୁଚେରୀଠୁ ୧୬ ରନ୍ରେ ପରାସ୍ତ ହୋଇଛି ଓଡିଶା।
ସୂଚନାଯୋଗ୍ୟ ଯେ, ବର୍ଷା ଯୋଗୁଁ ତୃତୀୟ ମ୍ୟାଚକୁ ୬ ଓଭର ବିଶିଷ୍ଟ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପୁଡୁଚେରୀ ୨ ୱିକେଟ୍ ବିନିମୟରେ ୯୧ ରନ୍ କରିଥିବା ବେଳେ ଏହାର ଜବାବରେ ଓଡ଼ିଶା ଧାର୍ଯ୍ୟ ଓଭର ସୁଦ୍ଧା ୩ ୱିକେଟ୍ ହରାଇ ୭୫ ରନ୍ କରିପାରିଥିଲା। ସ୍ବସ୍ତିକ ସାମଲ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟମାନେ ଦ୍ରୁତ ରନ୍ ପାଇଁ ସଂଘର୍ଷ କରିଥିବା ବେଳେ ଗୌରବ ଚୌଧୁରୀ ୮ ବଲ୍ରୁ ୨ଟି ଛକା ସହ ୧୭ ରନ୍ କରି ଅପରାଜିତ ରହିଥିବା ବେଳେ ଅଭିଷେକ ଯାଦବ ୧୩ ବଲ୍ରୁ ୧୮ ରନ୍ ଏବଂ ରାକେଶ ପଟ୍ଟନାୟକ ୨ ବଲ୍ରୁ ୨ ରନ୍ ହାସଲ କରିଥିଲେ। ସେହିପରି ଅଧିନାୟକ ପୋଦ୍ଦାର ଆକ୍ରମଣାତ୍ମକ ନୀତି ଆପଣେଇ ୧୨ ବଲ୍ରୁ ୫ ଛକା ସହାୟତାରେ ୩୩ ରନ୍ ହାସଲ କରିଥିଲେ। ଶେଷ ଓଭରରେ ୩୦ ରନ୍ ଆବଶ୍ୟକ ହେଉଥିଲା ବେଳେ ପୋଦ୍ଦାର ୨ ଛକା ସହାୟତାରେ ମାତ୍ର ୧୩ ରନ୍ ସଂଗ୍ରହ କରିପାରିଥିଲେ। ଅପରପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୧ ତାରିଖରେ ଛତିଶଗଡ଼ ବିପକ୍ଷରେ ଖେଳାଯିବ।