ପାଟନା: ଇତିହାସ ରଚିଲେ ବିହାରର ବାମହାତୀ ସ୍ପିନ ବୋଲର ସୁମନ କୁମାର। କୁଚ-ବେହାର ଟ୍ରଫିର ଇତିହାସରେ ପ୍ରଥମ ବୋଲର ଭାବେ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ନେଇ ସେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଏହାସହିତ ସମାନ ଇନିଂସରେ ସେ ହ୍ୟାଟ୍ରିକ ମଧ୍ୟ ହାସଲ କରିଛନ୍ତି।ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଇତିହାସରେ ବୋଲରମାନେ ହ୍ୟାଟ୍ରିକ ନେବାର ରେକର୍ଡ କରିଥିବା ବେଳେ ଏକାଧାରରେ ୧୦ ୱିକେଟ ସହ ହ୍ୟାଟ୍ରିକ ହାସଲ କରିବା ପ୍ରଥମ ଘଟଣା।
ପାଟନାର ମୋଇନ-ଉଲ-ହକ ଷ୍ଟାଡିୟମରେ ଚାଲିଥିବା କୁଚ-ବେହାର ଟ୍ରଫିରେ ରାଜସ୍ଥାନ ବିପକ୍ଷ ମ୍ୟାଚ୍ରେ ସୁମନ କୁମାର ଏହି ସଫଳତା ହାସଲ କରି ନିଜ ନାଁରେ କୀର୍ତ୍ତି ଯୋଡ଼ିଛନ୍ତି। ସୁମନ କୁମାରଙ୍କ ଉତ୍ତମ ପ୍ରଦର୍ଶନ ଯୋଗୁ ବିହାର ଦଳର ଦବଦବା ଦେଖାଇଛି। ଏହି ମ୍ୟାଚରେ ସୁମନ ୩୩.୫ ଓଭର ବୋଲିଂ କରି ୨୦ଟି ମେଡେନ ନେବା ସହ ୫୩ ରନ ବିନିମୟରେ ସମସ୍ତ ୧୦ ୱିକେଟ ନେଇଥିଲେ। ସେ ୧.୫୭ ହାରରେ ରନ ଦେଇଥିବା ବେଳେ ରାଜସ୍ଥାନର ମୋହିତ ଭଗନାନି, ଆନ୍ସ ଓ ସଚିନ ଶର୍ମାଙ୍କୁ ଇନିଂସର ୩୬ମ ଓଭରରେ ଆଉଟ କରି ହ୍ୟାଟ୍ରିକ ହାସଲ କରିଥିଲେ।
ମ୍ୟାଚ୍ ଡ୍ରରେ ସମାପ୍ତ ହୋଇଥିବା ବେଳେ ପ୍ରଥମ ଇନିଂସରେ ଲିଡ୍ ଭିତ୍ତିରେ ବିହାର ୩ ପଏଣ୍ଟ ଏବଂ ରାଜସ୍ଥାନ ମାତ୍ର ଏକ ପଏଣ୍ଟ ପାଇଛି।
ବିହାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ୧୪୩.୪ ଓଭରରେ ସମସ୍ତ ୱିକେଟ ହରାଇ ୪୬୭ ରନ କରିଥିଲା। ଦଳ ପକ୍ଷରୁ ଦୀପେଶ ଗୁପ୍ତା ଓ ପୃଥ୍ୱୀ ରାଜ ଶତକ ହାସଲ କରିଥିଲେ ଏବଂ ଦୀପେଶ ଶେଷ ପର୍ଯ୍ୟନ୍ତ ୩୮୧ ବଲରେ ୧୮୩ ରନ କରି ଅପରାଜିତ ରହିଥିଲେ। ଏହାପରେ ପଡିଆକୁ ଓହ୍ଲାଇଥିବା ରାଜସ୍ଥାନର ବ୍ୟାଟ୍ସମ୍ୟାନଙ୍କୁ ନିଜର ଜଲୱା ଦେଖାଇଥିଲେ ସୁମନ କୁମାର। ଏକାକୀ ରାଜସ୍ଥାନର ସମସ୍ତଙ୍କ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ବିହାରକୁ ୨୮୫ ରନର ଲିଡ ଭେଟି ଦେଇଥିଲେ। ଏହାପରେ ରାଜସ୍ଥାନ ଦ୍ୱିତୀୟ ଇନିଂସରେ କମବ୍ୟାକ କରିବା ସହ ପାର୍ଥ ଯାଦବଙ୍କ ଅପରାଜିତ ୨୦୦ ରନ ବଳରେ ୫ ୱିକେଟ ହରାଇ ୪୧୦ ରନ କରିଥିଲା। କିନ୍ତୁ ମ୍ୟାଚ୍ ଡ୍ର ରହିବାରୁ ବିହାର ୩ ପଏଣ୍ଟ ପାଇଛି।
ସୁମନ କୁମାରଙ୍କ କୁଚ-ବେହାର ଟ୍ରଫିର ୪ଟି ମ୍ୟାଚ୍ରେ ୨୩ଟି ୱିକେଟ ନେଇସାରିଲେଣି। ବିହାର ତା’ର ପରବର୍ତ୍ତୀ ମ୍ୟାଚ୍ରେ ମହାରାଷ୍ଟ୍ରକୁ ଭେଟିବାକୁ ଥିବା ବେଳେ ଡିସେମ୍ବର ୬ରୁ ଶାମ୍ବାଜୀନଗର ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଆରମ୍ଭ ହେବ।