ଇନ୍ଦୋର: ନିକଟରେ ହୋଇଥିବା ଆଇପିଏଲ ୨୦୨୫ ଅକ୍ସନରେ ଅଣଦେଖା କରିଥିଲେ ସବୁ ଫ୍ରାଞ୍ଚାଇଜ। କିନ୍ତୁ ନିଜ ଜଲୱା ଦେଖାଇ ମାତ୍ର ୬ ଦିନ ମଧ୍ୟରେ ଟି-୨୦ କ୍ରିକେଟରେ ଦ୍ୱିତୀୟ ଶତକ ହାସଲ କରି ବିଶ୍ବ ରେକର୍ଡ କଲେ ଗୁଜରାଟର ଓପନର ଉର୍ବିଲ ପଟେଲ। ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍ରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ମାତ୍ର ୩୬ ବଲରେ ଶତକୀୟ ଇନିଂସ ଖେଳିଥିବାରୁ ଗୁଜରାଟ ୧୩.୧ ଓଭରରେ ୮ ୱିକେଟ ପୂର୍ବରୁ ଦମଦାର ବିଜୟ ହାସଲ କରିଛି।
ତେବେ ଉର୍ବିଲ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି-୨୦ କ୍ରିକେଟରେ ୪୦ରୁ କମ ବଲରେ ୨ଟି ଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି। ଗତ ସପ୍ତାହରେ ଉର୍ବିଲ ତ୍ରିପୁରା ବିପକ୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିର ମ୍ୟାଚ୍ରେ ୨୮ ବଲରେ ଶତକ ହାସଲ କରି ରେକର୍ଡ କରିଥିଲେ। ଏହାର ୬ ଦିନ ପରେ ପୁଣି ଗୋଟିଏ ଶତକ ମାରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଉର୍ବିଲ ।
ଉତ୍ତରାଖଣ୍ଡ ବିପକ୍ଷରେ ୧୮୩ ରନର ଟାର୍ଗେଟକୁ ଲକ୍ଷ କରିଥିବା ଗୁଜରାଟ ପାଇଁ ଆରମ୍ଭରୁ ଉର୍ବିଲ ବଡ଼ବଡ଼ ଶଟ ଖେଳି ଏକାକୀ ୪୧ ବଲରେ ଅପରାଜିତ ୧୧୫ ରନର ଇନିଂସ ଖେଳିଥିବାରୁ ଗୁଜରାଟ ୧୩.୧ ଓଭରରେ ୨ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରିଥିଲା। ଏହି ମ୍ୟାଚରେ ଉର୍ବିଲ ତାଙ୍କ ବିସ୍ଫୋରକ ଇନିଂସରେ ୮ଟି ଚୌକା ଓ ୧୧ଟି ବଡ଼ ଛକା ମାରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
ପୂର୍ବରୁ ମଧ୍ୟ ତ୍ରିପୁରା ବିପକ୍ଷ ମ୍ୟାଚ୍ରେ ଗୁଜରାଟ ୧୫୬ ରନର ଟାର୍ଗେଟକୁ ପିଛା କରୁଥିବା ବେଳେ ଉର୍ବିଲ ମାତ୍ର ୩୫ ବଲରେ ଅପରାଜିତ ୧୧୩ ରନର ଇନିଂସ ଖେଳି ଏହି ଇନିଂସରେ ୧୨ଟି ଛକା ଓ ୭ଟି ଚୌକା ମାରିଥିଲେ। ଫଳରେ ଗୁଜରାଟ ୧୦.୨ ଓଭରରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଥିଲା।
ଟି-୨୦ରେ କ୍ରିକେଟରେ ୨୮ ବଲରେ ଶତକ ହାସଲ କରିବାରେ ଉର୍ବିଲ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ତାଙ୍କ ଷ୍ଟ୍ରାଇକ ରେଟ ୩୨୨.୮୬ ରହିଛି। ପୂର୍ବରୁ ଇଷ୍ଟୋନିଆର ସାହିଲ ଚୌହାନ ୨୭ ବଲରେ ଶତକ ମାରିଥିଲେ। ତାଙ୍କ ପରେ ଉର୍ବିଲ ହେଉଛନ୍ତି ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଟି-୨୦ରେ ଶତକ ହାସଲ କରିଥିଲେ।
ପ୍ରକାଶଥାଉ କି, ୨୦୨୩ ଆଇପିଏଲରେ ଉର୍ବିଲ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିଥିବା ବେଳେ ତାଙ୍କୁ ଫ୍ରାଞ୍ଚାଇଜ ୨୦ ଲକ୍ଷ ଟଙ୍କାରେ କିଣିଥିଲା। କିନ୍ତୁ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ଗୁଜରାଟ ରିଲିଜ କରି ଦେବା ପରେ ସେ ୩୦ ଲକ୍ଷ ଟଙ୍କାର ବେସ ପ୍ରାଇସ ସହ ମେଗା ଅକ୍ସନରେ ପ୍ରବେଶ କରିଥିବା ସତ୍ତ୍ୱେ ତାଙ୍କୁ କେହି ବି କିଣିବାକୁ ଆଗ୍ରହ ଦେଖାଇ ନଥିଲେ। କିନ୍ତୁ ସେ ଟି-୨୦ କ୍ରିକେଟରେ ନିଜର ବିସ୍ଫୋରକ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।