ନୂଆଦିଲ୍ଲୀ: ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ଗୁରୁବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ସେନା ବିରୋଧୀ ଆନ୍ଦୋଳନ ମାମଲାରେ ଅଭିଯୁକ୍ତ କରିଛନ୍ତି। ୨୦୨୩ ମେ ୯ରେ ଇମ୍ରାନଙ୍କ ନେତୃତ୍ବାଧୀନ ପାକିସ୍ତାନ ତେହରିକ-ଇ-ଇନସାଫ୍ ବା ପିଟିଆଇର ସମର୍ଥକମାନେ ସାମରିକ ପ୍ରତିଷ୍ଠାନ ଉପରେ ହମ୍ଲା କରିଥିଲେ। ଏକ ଦୁର୍ନୀତି ମାମଲାରେ ୨୦୨୩ ମେ ୯ରେ ଇମ୍ରାନଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥକମାନେ ସେନା ମୁଖ୍ୟାଳୟ ସମେତ ବହୁ ସାମରିକ ଅଟ୍ଟାଳିକା ଓ ଅଫିସ୍ ଜାଳି ଦେଇଥିଲେ। ଇମ୍ରାନଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ଦର୍ଶାଇ ପିଟିଆଇ ସମର୍ଥକ ଦେଶରେ ହିଂସାର ନିଆଁ ଜାଳିଥିଲେ। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଇମ୍ରାନଙ୍କ ସମେତ ପାଖାପାଖି ୬୦ ଜଣ ପିଟିଆଇ ସମର୍ଥକଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜାତୀୟ ସଭାରେ ବିରୋଧୀ ଦଳର ନେତା ଥିବା ଓମାର ଆୟୁବ ମଧ୍ୟ ଅଛନ୍ତି। ଇମ୍ରାନ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେପଟେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କୁରେଶୀଙ୍କୁ ହାଜର କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଖାଇବର ପାଖତୁନ୍ଖ୍ବାର ମୁଖ୍ୟମନ୍ତ୍ରୀ ଅଲ୍ଲୀ ଆମିନ ଗନ୍ଦାପୁରଙ୍କ ସମେତ ଅନ୍ୟ ୪୫ ଜଣଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି। କୋର୍ଟରେ ହାଜର ହେବାରେ ବିଫଳ ହେଲେ ଏମାନଙ୍କୁ ପଳାତକ ଘୋଷଣା କରାଯିବ ବୋଲି ବିଚାରପତି କହିଛନ୍ତି।