ନୂଆଦିଲ୍ଲୀ: ନିଜର ଦାବିକୁ ନେଇ ଆନ୍ଦୋଳନ ତୀବ୍ରତ୍ତର କରିଛନ୍ତି ଚାଷୀ। ଶୁକ୍ରବାର ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ବେଳେ ହରିୟାଣା-ପଞ୍ଜାବର ସମ୍ଭୁ ସୀମାରେ ସୃଷ୍ଟି ହୋଇଛି ଅସମ୍ଭାଳ ସ୍ଥିତ। ଆନ୍ଦୋଳନକାରୀମାନେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ଘଟିଛି ଖଣ୍ଡ ଯୁଦ୍ଧ। ଏହି ଘଟଣାରେ ୬ ଜଣ ଚାଷୀ ଆହତ ହୋଇଛନ୍ତି। ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସକୁ ଲୁହ ବୁହା ଗ୍ୟାସ ମାଡ଼ କରିବାକୁ ପଡିଛି।
ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି, ଋଣ ଛାଡ, କୃଷକ ଓ କୃଷିକ୍ଷେତରେ କାମ କରୁଥିବା ଶ୍ରମିକଙ୍କ ପାଇଁ ପେନସନ, ବିଦ୍ୟୁତ ମୂଲ୍ୟ ବୃଦ୍ଧି ନକରିବା ଏବଂ ୨୦୨୧ରେ ଲକ୍ଷ୍ମୀପୁର ଖେରି ହିଂସା ପୀଡ଼ିତଙ୍କୁ ନ୍ୟାୟ ଦାବି ନେଇ ପଞ୍ଜାବ ଓ ହରିୟାଣାର ଶହଶହ ଚାଷୀ ଶୁକ୍ରବାର ଦିଲ୍ଲୀ ଚଲୋ ଡାକରା ଦେଇଥିଲେ। ବିଭିନ୍ନ ପତାକା ଧରି ସ୍ଲୋଗାନ ବାଜି ପୂର୍ବକ ଏମାନେ ୪୪ ନମ୍ବର ଜାତୀୟ ରାଜପଥରେ ଆଗକୁ ବଢିଥିଲେ। ଖବର ପାଇ ସମ୍ଭୁ ସୀମାକୁ ପୋଲିସ ଛାଉଣୀ କରିଦିଆଯାଇଥିଲା। ପୋଲିସ ଚାଷୀଙ୍କୁ ଅଟକାଇବାକୁ ସେଠାରେ ବ୍ୟାରିକେଡ ଲଗାଇବା ସହିତ କଣ୍ଟାଯୁକ୍ତ ତାର ଓ ସିମେଣ୍ଟ ସ୍ଲାଭର ସହାୟତା ନେଇଥିଲା। ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରାଯିବା ସହିତ ଡ୍ରୋନ ଓ ଓ୍ବାଟର କ୍ୟାନନ ବ୍ୟବସ୍ଥା ହୋଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ଆନ୍ଦୋଳନକାରୀ ଚାଷୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିବାକୁ ଉଦ୍ୟମ କରିଥିଲେ। ଚାଷୀମାନେ ବ୍ୟାରିକେଡ ଉପରେ ଚଢିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ଓ ଚାଷୀଙ୍କ ଖଣ୍ଡଯୁଦ୍ଧରେ ୬ ଜଣ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ଘଟଣାର ଭିଡିଓ ରେକର୍ଡିଂ ପ୍ରସ୍ତୁତ କରାଯାଇଛି। ଆବଶ୍ୟକ ପଡିଲେ ତାହାକୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯାଇପାରିବ। ତେବେ ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମୋବାଇଲ ନେଟଓ୍ବର୍କ ଏବଂ ବ୍ଲକ୍ ମେସେଜ୍ ପଠାଇବା ବ୍ୟବସ୍ଥା ଅମ୍ବାଲା ଜିଲ୍ଲାର କିଛି ଅଂଶରେ ଡିସେମ୍ବର ୯ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏମିତିକି ଧାରା ୧୬୩ ଲାଗୁ ପୂର୍ବକ ୪ରୁ ଅଧିକ ଲୋକ ଏକାଠି ହେବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଛି। ସରକାରୀ ଓ ବେସରକାରୀ ସ୍କୁଲ ଦିନକ ପାଇଁ ବନ୍ଦ ରଖାଯାଇଥିଲା। ମାତ୍ର ଚାଷୀଙ୍କୁ ଅଟକାଇବା ନେଇ ପୋଲିସ ପ୍ରଶାସନର ଉଦ୍ୟମ ବିଫଳ ହୋଇଛି। ସରକାର ବାରମ୍ବାର ସେମାନଙ୍କୁ ଠକିଥିବା ଅଭିଯୋଗ କରି ଚାଷୀ ଏଥର ଆର୍ପାର୍ ଲଢେଇର ସ୍ଲୋଗାନ ଦେଇଛନ୍ତି। ଚାଷୀ ନେତା ସରଓ୍ବନ ସିଂହ ପନ୍ଧେର କହିଛନ୍ତି ଯେ ସେମାନେ ଗୋଷ୍ଠୀବଦ୍ଧ ହେବା ବନ୍ଦ କରିଛନ୍ତି, ଦିଲ୍ଲୀ ଚଲୋ ଡାକରାକୁ ନୁହେଁ।
ସେପଟେ ବିରୋଧୀ ଦଳଗୁଡିକ ଚାଷୀଙ୍କ ଦାବିକୁ ସମର୍ଥନ କରୁଥିବା ବେଳେ ଏ ଭିତରେ ଚାଷୀ ଆନ୍ଦୋଳନ ଏକ ରାଜନୈତିକ ରୂପ ନେଇଛି। ରାଭ୍ୟସଭା ସଭାପତି ଜଗଦୀପ୍ ଧନଖଡ ମଙ୍ଗଳବାର ଚାଷୀଙ୍କ ଦାବି ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। ସରକାର ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ କିଣିବା ନେଇ ବଦ୍ଧପରିକର ବୋଲି ଚାଷୀ ଆନ୍ଦୋଳନ ଆରମ୍ଭର କରିବାର କିଛି ସମୟ ପୂର୍ବରୁ ପାର୍ଲାମେଣ୍ଟରେ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ।