ନୂଆଦିଲ୍ଲୀ: ଟଙ୍କା ବଦଳରେ ନକଲି ଡାକ୍ତରୀ ପ୍ରମାଣପତ୍ର ହାସଲ କରିଥିବା ୧୪ ଜଣ ନକଲି ଡାକ୍ତରଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ରମେଶ ଗୁଜରାଟୀ ମଧ୍ୟ ଧରାପଡିଥିବା ପୋଲିସ ସୂଚନା ଦେଇଛି। ମାତ୍ର ୭୦ ହଜାର ଟଙ୍କାରେ ସେ ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକଙ୍କୁ ମଧ୍ୟ ନକଲି ଡାକ୍ତରୀ ସାର୍ଟିଫିକେଟ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି। ଗୁଜରାଟର ସୁରଟରେ ଏହି ଗ୍ୟାଙ୍ଗ୍ ସକ୍ରିୟ ଥିବା ବେଳେ ଏମାନଙ୍କ ନିକଟରେ ୧୨୦୦ ନକଲି ଡିଗ୍ରୀରର ଡାଟାବେସ୍ ରହିଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କୁ ବୋର୍ଡ ଅଫ୍ ଇଲେକ୍ଟ୍ରୋ ମେଡିସିନ ଗୁଜରାଟ ନାମରେ ଏହି ନକଲି ଡିଗ୍ରୀ ଜାରି କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଡାକ୍ତର ରମେଶ ଗୁଜରାଟୀ ଏମାନଙ୍କୁ ନକଲି ପ୍ରମାଣପତ୍ର ପ୍ରଦାନ କରିଥିଲେ। ନକଲି ପ୍ରମାଣ ପତ୍ର ପାଇବା ପରେ ନକଲି ଡାକ୍ତରମାନେ ତାହାକୁ ଜାଲ୍ ଓ୍ବେବସାଇଟରେ ଅପଲୋଡ କରିଥିଲେ। ଇଲେକ୍ଟ୍ରୋ ହୋମିଓପାଥିକୁ ନେଇ ଭାରତରେ କୌଣସି ନିୟମ ନ ଥିବା ବେଳେ ଏକ ବୋର୍ଡ ଗଠନ କରି ଡିଗ୍ରୀ ପ୍ରଦାନ କରିବାକୁ ସେ ସ୍ଥିର କରିଥିବା ଗିରଫ ଡାକ୍ତର ରମେଶ ଗୁଜରାଟୀ ପୋଲିସକୁ କହିଛନ୍ତି। ପୋଲିସ ସେଠାରୁ ଶତାଧିକ ଆବେଦନପତ୍ର, ପ୍ରମାଣପତ୍ର ଏବଂ ଷ୍ଟାମ୍ପ ଜବତ କରିଛି। ୩ ଜଣ ଲୋକ ନକଲି ପ୍ରମାଣପତ୍ର ସହାୟତାରେ ଏଲୋପାଥି ପ୍ରାକ୍ଟିସ କରୁଥିବା ପୋଲିସ ଅଭିଯୋଗ ପାଇବା ପରେ ସେମାନଙ୍କ କ୍ଲିନକ ଉପରେ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଚଡାଉ କରାଯାଇଥିଲା।