ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ବୈତ ନାଗରିକତା ସମ୍ବନ୍ଧୀୟ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କେନ୍ଦ୍ରଠୁ ଜବାବ ଲୋଡିଛନ୍ତି। ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ବାରା କରାଯାଇଥିବା ଏକ ଆବେଦନ ଉପରେ ନିଜର ସ୍ଥିତି ସ୍ପଷ୍ଟ କରିବାକୁ ହାଇକୋର୍ଟ କେନ୍ଦ୍ରକୁ କହିଛନ୍ତି। ଏହି ମାମଲାରେ କେନ୍ଦ୍ରର ନିର୍ଦ୍ଦେଶ ହାସଲ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଇନଜୀବୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଭୁ ବଖ୍ରୁ ଏବଂ ବିଚାରପତି ତୁଷାର ରାଓ ଗେଡେଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। କୌଣସି ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ସରକାରୀ ଓକିଲଙ୍କ ସହାୟତା ନେବାକୁ ଖଣ୍ଡପୀଠ ଚାହିଁଛନ୍ତି। କେନ୍ଦ୍ରର ପକ୍ଷ ରଖୁଥିବା ଆଇନଜୀବୀଙ୍କୁ ବରିଷ୍ଠ ମାନ୍ୟତା ମିଳିବା ପରେ ନୂଆ ଓକିଲ ନିଯୁକ୍ତ କରିବା ଜରୁରୀ ହୋଇପଡିଥିଲା ବୋଲି ଖଣ୍ଡପୀଠଙ୍କୁ ସରକାରୀ ଓକିଲ କହିଥିଲେ। ଯାହା ପରେ ମାମଲାର ଶୁଣାଣିକୁ ୨୦୨୫ ଜାନୁଆରୀ ୧୩ ପର୍ଯ୍ୟନ୍ତ ସ୍ଥଗିର ରଖିଛନ୍ତି ହାଇକୋର୍ଟ। ରାହୁଲ ଗାନ୍ଧୀ ଭାରତର ନାଗରିକ ହେବା ସହିତ ବ୍ରିଟିଶ ନାଗରିକତା ଗ୍ରହଣ କରିଥିବା ନେଇ ଏହି ମାମଲା ରୁଜୁ କରାଯାଇଛି।