ନୂଆଦିଲ୍ଲୀ, ୬।୧୨: ରାଜ୍ୟସଭାରେ ସାଂସଦ ଅଭିଶେକ ମନୁ ସିଙ୍ଘଭୀଙ୍କ ଆସନ ତଳୁ ଟଙ୍କା ମିଳିବା ଘଟଣା ପରେ ଏବେ ସଂସଦରେ ସାଂସଦମାନଙ୍କୁ ଆସନ ଆବଣ୍ଟନ ପ୍ରସଙ୍ଗକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଏ ନେଇ ସାଂସଦରେ ଶୁକ୍ରବାର ଚିନ୍ତା ବ୍ୟକ୍ତ କରିଛି କଂଗ୍ରେସ। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ସିଟ୍ ଆବଣ୍ଟନକୁ ନେଇ ରହିଥିବା ଫର୍ମୁଲାକୁ ଅବଲମ୍ବନ କରୁ ନ ଥିବା କଂଗ୍ରେସ ଅଭିଯୋଗ କରିଛି। ପ୍ରତି ୨୮ ଜଣ ସାଂସଦଙ୍କୁ ଗୋଟିଏ ଆଗଧାଡିର ଆସନ ଆବଣ୍ଟନ କରାଯିବାର ନିୟମ ରହିଛି। ଏହି ନିୟମ କ୍ରମେ ତୃଣମୂଳ କଂଗ୍ରେସକୁ ଛାଡି କେବଳ କଂଗ୍ରେସକୁ ୭ଟି ଆଗଧାଡିର ଆସନ ଆବଣ୍ଟନ କରାଯାଇଛି ବୋଲି କଂଗ୍ରେସ କହିଛି। କଂଗ୍ରେସ ଅଭିଯୋଗ କରିଛି ଯେ ବିରୋଧୀ ଦଳର ନେତାଙ୍କୁ ଗୋଟିଏ, କଂଗ୍ରେସକୁ ୩ଟି, ସମାଜବାଦୀ ପାର୍ଟି (ଏସପି)କୁ ୨ଟି ଏବଂ ଡିଏମକେକୁ ଗୋଟିଏ ଆସନ ଆବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପରେ କେନ୍ଦ୍ର ସରକାର ଏସ୍ପିକୁ କେବଳ ଗୋଟିଏ ଆସନ ଦେଇଥିବା ବେଳେ ଫୈଜାବାଦ ସାଂସଦ ଅଓ୍ବଧେଶ ପ୍ରସାଦଙ୍କୁ ଦ୍ବିତୀୟ ଧାଡିକୁ ପଠାଇ ଦେଇଥିଲେ। ଯାହାପରେ ଉଭୟ କଂଗ୍ରେସ ଓ ଏସପି ଆସନ ଆବଣ୍ଟନର ସମୀକ୍ଷା କରିବାକୁ ବିକ୍ଷୋଭ କରିଥିଲେ। ଏ ଘଟଣାକୁ ନେଇ ଏସ୍ପି ପକ୍ଷରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଆଗଧାଡିରେ ଆଉ ଏକ ଆସନ ଆବଣ୍ଟନ କରିବାକୁ ନିବେଦନ କରାଯାଇଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉ ନ ଥିବାରୁ କଂଗ୍ରେସ ଉପରେ ଏସପି ଅସନ୍ତୁଷ୍ଟ ଥିବା କୁହାଯାଉଥିଲେ ମଧ୍ୟ ଦଳୀୟ ମୁଖ୍ୟ ଅଖିଳେଶ ଯାଦବ ଏହାକୁ ଅସ୍ବୀକାର କରିଛନ୍ତି। ବିଜେପି ଜାଣିଶୁଣି ବିପକ୍ଷ ମେଣ୍ଟ ଇଣ୍ଡିଆରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେ ଦର୍ଶାଇଛନ୍ତି।
ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ୧୮ତମ ଲୋକସଭାର ଆସନ ଆବଣ୍ଟନକୁ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ପ୍ରଥମ ଧାଡିର ପ୍ରଥମ ଆସନରେ ଅପରିବର୍ତ୍ତିତ ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ଆସନ ଆବଣ୍ଟନ କରାଯାଇଛି। ନବ ନିର୍ବାଚିତ ଓ୍ବାୟନାଡ ସାଂସଦ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚତୁର୍ଥ ଧାଡିରେ ସ୍ଥାନ ମିଳିଥିବା ବେଳେ ରାହୁଲ ଗାନ୍ଧୀ ୪୯୮ ତମ ଆସନ ପାଇଛନ୍ତି। ଅଖିଳେଶଙ୍କୁ ୩୫୫ ତମ ଏବଂ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ୩୫୪ତମ ଆସନ ମିଳିଛି।