ପ୍ୟାରିସ: ଫ୍ରାନ୍ସରେ ରାଜନୈତିକ ସଙ୍କଟ ଦେଖାଯାଇଛି। ନିକଟରେ ସଂସଦରେ ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ମାଇକେଲ ବାର୍ଣ୍ଣିୟର ଇସ୍ତଫା ଦେବା ପରେ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ସମୟରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଇସ୍ତଫା ପାଇଁ ମଧ୍ୟ ଚାପ ବୃଦ୍ଧି ପାଉଥିବା ବେଳେ ସେ ଇସ୍ତଫା ଦେବେନାହିଁ ବୋଲି କହିଛନ୍ତି। ଏହାସହିତ ଯଥାଶୀଘ୍ର ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବେ ବୋଲି କହିଛନ୍ତି। ଏନେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନ୍ ଅଭିଭାଷଣରେ ମାକ୍ରନ ସୂଚନା ଦେଇଛନ୍ତି। ଏହାସହିତ ସଂସଦରେ ୨୦୨୫ ବଜେଟ୍ ଗୃହୀତ କରାଇବା ମାକ୍ରନଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି କହି ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ବାର୍ଣ୍ଣିୟର ଓ ତାଙ୍କ ସରକାର କାମଚଳା ଦାୟିତ୍ବରେ ରହିବାକୁ ମାକ୍ରନ ନିର୍ଦ୍ଦେଶ ଦେଇଛନ୍ତି।
ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରପତି କହିଥିଲେ ଯେ, ଏହି ରାଜନୈତିକ ସଙ୍କଟ ଯୋଗୁଁ ସେ ଦୁର୍ବଳ ହୋଇପଡ଼ିଛନ୍ତି ସତ କିନ୍ତୁ ଇସ୍ତଫା ଦାବିକୁ ଅଗ୍ରାହ୍ୟ କରିଛନ୍ତି। ଏହାସହିତ ଆସନ୍ତା ୨୦୨୭ ମେ ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦବୀରେ ରହିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।