ନୂଆଦିଲ୍ଲୀ: ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓ ଅଙ୍ଗାରକାମ୍ଳ ହ୍ରାସ ଲକ୍ଷ୍ୟ ହାସଲ ପାଇଁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୋଟ୍ ୭ଟି ବର୍ଗରେ ପୁରସ୍କୃତ ହେବ ଓଡ଼ିଶା ।
କୋରାପୁଟ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପରିଷଦ ଭାବେ ମନୋନୀତ ହୋଇଥିବାବେଳେ ଛତ୍ରପୁର ଦେଶର ଶ୍ରେଷ୍ଠ ପଞ୍ଚାୟତ ସମିତିଭାବେ ମନୋନୀତ ହୋଇଛି । ସେଥିପାଇଁ କୋରାପୁଟ ଜିଲ୍ଲା ପରିଷଦକୁ ୩ କୋଟି ଏବଂ ଛତ୍ରପୁରକୁ ୨ କୋଟି ପୁରସ୍କାର ରାଶି ପ୍ରଦାନ କରାଯିବ। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା କେଲୁଆପଲ୍ଲୀ ଗ୍ରାମ ପଞ୍ଚାୟତକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଏବଂ ସାହାପୁର ଗ୍ରାମ ପଞ୍ଚାୟତକୁ ଦ୍ୱିତୀୟ ଆତ୍ମ ନିର୍ଭରଶୀଳ ଭିତ୍ତିଭୂମି ଯୁକ୍ତ ଗ୍ରାମ ପାଇଁ ପୁରସ୍କାର ପ୍ରଦାନ କରାଯିବ । ଏହି ଦୁଇଟି ପଞ୍ଚାୟତକୁ ପୁରସ୍କାର ରାଶି ଆକାରରେ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରିକଲା ଏବଂ କଶିରା ଗ୍ରାମପଞ୍ଚାୟତକୁ ବିଶେଷ ପଞ୍ଚାୟତ ପୁରସ୍କାର ପାଇଁ ଯଥାକ୍ରମେ ୭୫ ଲକ୍ଷ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।
ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବା ଲାଗି ମନୋନିତ ହୋଇଛି । ଏହି ପ୍ରତିଷ୍ଠାନକୁ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ‘ପୁରସ୍କାରପ୍ରାପ୍ତ ପଞ୍ଚାୟତଗୁଡ଼ିକର କାର୍ଯ୍ୟ ଉପରେ ଶ୍ରେଷ୍ଠ ଅଭ୍ୟାସ’ ଶୀର୍ଷକ ବିଶିଷ୍ଟ ଏକ ପୁସ୍ତିକା ଉନ୍ମୋଚନ କରିବେ । ପୁସ୍ତକରେ ପୁରସ୍କାର ପ୍ରାପ୍ତ ପଞ୍ଚାୟତଗୁଡ଼ିକର ଅଭିନବ ଏବଂ ପ୍ରଭାବଶାଳୀ କାର୍ଯ୍ୟଗୁଡ଼ିକର ବିବରଣୀ ରହିଥିବା ବେଳେ ଏହାର ପ୍ରଥମ କପି ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ।