ନୂଆଦିଲ୍ଲୀ: ବିବାହିତ ମହିଳାଙ୍କ ଦ୍ବାରା ନିର୍ଯାତନା ଆଇନର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ବୁଧବାର ଚିନ୍ତା ବ୍ୟକ୍ତ କରିଛନ୍ତି। ଆଇପିସି ଧାରା ୪୯୮ଏ ଅଧୀନରେ ବିବାହିତା ମହିଳାଙ୍କୁ ନିର୍ଯାତନା ଦେଉଥିବା ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କୁ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏହି ଆଇନ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ। ମାତ୍ର ନିଜର ଅଯୌକ୍ତିକ ସ୍ବାର୍ଥ ପାଇଁ ସ୍ବାମୀ ତଥା ଶାଶୂ-ଶ୍ବଶୁରଙ୍କ ବିରୋଧରେ ଏହି ଆଇନକୁ କିଛି ବିବାହିତା ମହିଳା ବ୍ୟବହାର କରୁଥିବା ସୁପ୍ରିମକୋର୍ଟ ବିଚାରପତି ବି.ଭି. ନଗରାଥନା ଏବଂ ଜଷ୍ଟିସ ଏନ. କୋଟିସ୍ବର ସିଂହଙ୍କ ପୀଠ କହିଛନ୍ତି । ଏକ ମାମଲାର ଶୁଣାଣି ବେଳେ ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଘଟଣାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହା କହିଛନ୍ତି। ଖଣ୍ଡପୀଠରେ ଜଣେ ବିବାହିତା ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ କରିଥିବା ନିର୍ଯାତନା ଓ ଯୌତୁକ ମାମଲାର ଶୁଣାଣି ଚାଲିଥିଲା। ସ୍ବାମୀ ବିବାହ ବିଚ୍ଛେଦ ପାଇଁ ଦାବି କରିବାରୁ ମହିଳା ଜଣକ ପ୍ରଥମେ ତେଲେଙ୍ଗାନା ହାଇକୋର୍ଟରେ ଆବେଦନ ନେଇଥିଲେ। ମାତ୍ର ଏହି ମାମଲାକୁ ରଦ୍ଦ କରିବାକୁ ତେଲେଙ୍ଗାନା ହାଇକୋର୍ଟଙ୍କ ଆପତ୍ତି କରିବାରୁ ତାହା ବିରୋଧରେ ସମ୍ପୃକ୍ତ ସ୍ବାମୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଉଲ୍ଲେଖ ଯେ ଅତୁଲ ତାଙ୍କ ପତ୍ନୀ ଓ ପରିବାରର ଦ୍ବାରା ମାନସିକ ଓ ଆର୍ଥିକ ଭାବେ ନିର୍ଯାତିତ ହୋଇଥିବା ଅଭିଯୋଗ କରି ଆତ୍ମହିତ୍ୟା କରିଥିଲେ।