ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନକୁ ସମର୍ଥନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ବ୍ୟବସ୍ଥା ଲାଗୁ ହେବା ଦ୍ବାରା ଦେଶର ଜିଡିପି ୧ରୁ ୧.୫% ବୃଦ୍ଧି ପାଇବ। ଏଣୁ ଏହି ବ୍ୟବସ୍ଥା ପ୍ରତି କେନ୍ଦ୍ର ସରକାରଙ୍କୁ ଜନସମର୍ଥନ ସୃଷ୍ଟି କରିବାକୁ ହେବ ବୋଲି ସେ ବୁଧବାର କହିଛନ୍ତି। ଦେଶରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ଏକକାଳୀନ କରାଇବା ସପକ୍ଷରେ ମତ ରଖି କୋବିନ୍ଦ ଆହୁରି କହିଛନ୍ତି ଯେ ଏହି ପ୍ରସଙ୍ଗ କୌଣସି ଦଳର ସ୍ବାର୍ଥ ସମ୍ବଳିତ ନୁହେଁ ବରଂ ଏଥିରେ ସମ୍ପୂର୍ଣ୍ଣ ଦେଶର ହିତ ସମାହିତ ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ଦେଶ ପାଇଁ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ। କାରଣ ଏହା ଦେଶର ଜିଡିପିରେ ୧ରୁ ୧.୫% ବୃଦ୍ଧି କରିବାର କ୍ଷମତା ରଖେ। ଆଉ ଏହା କେବଳ ତାଙ୍କ ମତ ନୁହେଁ ବରଂ ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନେ ମଧ୍ୟ ଏହି ବିଶ୍ବାସ ରଖନ୍ତି ବୋଲି କୋବିନ୍ଦ ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖ ଯେ ୨୦୨୪ ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ୍ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବକୁ ସ୍ବୀକୃତି ଦେଇଥିଲା। ଯାହା ଅଧୀନରେ ଲୋକସଭା, ବିଧାନସଭା, ମ୍ୟୁନିସପାଲଟି ଏବଂ ପଞ୍ଚାୟତ ନିର୍ବାଚନଗୁଡିକୁ ୧୦୦ ଦିନ ମଧ୍ୟରେ ଶେଷ କରିବାକୁ ଏଥିରେ ପ୍ରସ୍ତାବ ରହିଛି। କୋବିନ୍ଦଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ କମିଟି ଏହାର ବିସ୍ତୃତ ରିପୋର୍ଟରେ ଏହି ପ୍ରସ୍ତାବ ଦେଇଥିଲେ। କ୍ୟାବିନେଟ୍ ମଞ୍ଜୁରୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ ଦେଇଥିଲେ।