ମାସଙ୍କ ମଧ୍ୟରେ ମାର୍ଗଶୀର ଶ୍ରେଷ୍ଠ । ଉତ୍ସବମୁଖର ହୋଇଛି ଓଡ଼ିଶାର ଗାଁରୁ ସହର। ଏହି ଦିନରେ ଘରେ ଘରେ ଧାନ ମେଣ୍ଟାକୁ ସୁସଜ୍ଜିତ କରି ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି । ମାଆଙ୍କ ପୂଜା କରିବା ପାଇଁ ପ୍ରତେକ ଗୃହିଣୀ ତତ୍ପର ହୋଇଥାନ୍ତି । ଏହି ମାସରେ ବୁଧବାର ଠାରୁ ଘର ଧୋଇ ଚିତା ପକାଇଥାନ୍ତି ଏବଂ ଗୁରୁବାର ଦିନ ଭୋର ଉଠି ମହାଲକ୍ଷ୍ମୀଙ୍କୁ ଠାକୁର ଘରେ ସ୍ଥାପନ କରି ନାନା ପ୍ରକାରର ପିଠା,ପଣା ଭୋଗ କରିଥାନ୍ତି । ମାର୍ଗଶୀର ମାସ ଗୁରୁବାର ଧନ୍ୟଲକ୍ଷ୍ମୀଙ୍କ ଉପାସନା କରାଯାଇଥାଏ । ଏହାକୁ ମାଣବସା ଗୁରୁବାର ବୋଲି କୁହାଯାଏ । ମାର୍ଗଶୀର ମାସରେ ପ୍ରତି ଓଡ଼ିଆ ଘରେ ଘରେ ମା ଲକ୍ଷ୍ମୀ ମାଣ ରୂପେ ପୂଜା ପାଆନ୍ତି । ମାଣବସା ଗୁରୁବାର ଦିନ ପ୍ରତ୍ୟେକ ଓଡ଼ିଆ ବୋହୂ ପ୍ରତ୍ୟୁଷରୁ ଉଠି ଘରଦ୍ୱାର ଲିପି ମାଣ ଖଟୁଲି ସଜାଇଥାଏ । ଘରେ ଦୁଆରେ ଚାଉଳ ଚୂନାରୁ ପ୍ରସ୍ତୁତ ଝୋଟି ପକାଯାଏ । ଖଟୁଲିରେ ନୂତନ ଧାନକେଣ୍ଡାରେ ବେଣୀ ପ୍ରସ୍ତୁତ କରି ଧୂପ, ଦୀପ, ଫୁଲ, ଚନ୍ଦନ ନୈବେଦ୍ୟ ଆଦି ଅର୍ପଣ କରି ମହାଲକ୍ଷ୍ମୀଙ୍କୁ ଆବହନ କରାଯାଏ । ମା’ଲକ୍ଷ୍ମୀଙ୍କ ଓଷା ବହି ପାଠ କରାଯାଏ । ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ମା’ଙ୍କୁ ଭୋଗ ଲାଗି କରାଯାଏ । ମା’ଲକ୍ଷ୍ମୀଙ୍କୁ ଉପାସନା କରୁଥିବା ପରିବାରରେ ସର୍ବଦା ସୁଖସମୃଦ୍ଧି, ଧନଧାନ୍ୟରେ ପୂରି ଉଠେ ।
କିମ୍ବଦନ୍ତୀ କହେ, ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ ହୋଇଛି । ଦାସଦାସୀ ପରିବେଷ୍ଟିତ ମା ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ନଗର ଭ୍ରମଣରେ ବଡ଼ ଦେଉଳରୁ ବାହାରିଲେ ଥିଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଶୁଣି ବଳରାମ କୋପକଲେ । ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଗଲେ । ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା । ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ । ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।
ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।