ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ଜାନୁଆରୀ ୨୦ରେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ସେ ଜିନପିଙ୍ଗଙ୍କୁ ନିମନ୍ତ୍ରଣ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ଚୀନ ରାଷ୍ଟ୍ରପତି ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିମ୍ବା ୱାଶିଂଟନରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି।
କ୍ୟାପିଟାଲ ହାଉସରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ଅନେକ ବିଶ୍ୱ ନେତା ନିମନ୍ତ୍ରିତ ହୋଇଥିବା ବେଳେ ଚୀନ ରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ଟ୍ରମ୍ପ। କିନ୍ତୁ ନିକଟରେ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିବାରୁ ସେ ଏହି ସମାରୋହରେ ଯୋଗ ଦେବେ କି ନାହିଁ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଏହାସହିତ ଟିକ୍ ଟକ୍ ର ମୂଳ ଚାଇନା କମ୍ପାନୀ ବାଇଟ୍ ଡ୍ୟାନ୍ସର ସୋସିଆଲ ମିଡିଆ ଆପ୍ ବିକ୍ରି କରିବାକୁ ଚେତାବନୀ ଦେଇ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଦେଇଥିଲେ। ଏହା ନହେଲେ ଆମେରିକାରେ ଏହା ଉପରେ ନିଷେଧାଦେଶ ଲଗାଯିବ ବୋଲି ଜଣାଇଥିଲେ। ତେବେ ଏହି ନିଷେଧାଦେଶ ରୋକିବା ପାଇଁ ଟିକ୍ ଟକ୍ ଅଦାଲତରେ ମାମଲା ଦାଏର କରି ହାରିବା ପରେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛି।