ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ବିଲ୍କୁ ଗୁରୁବାର ମିଳିଛି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ । ଫଳରେ ସଂସଦର ଚଳିତ ଶୀତ ଅଧିବେନଶରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ବଢିଛି। ଡିସେମ୍ବର ୨୦ରେ ଶୀତକାଳୀନ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଏହି ବିଲ୍ ଖୁବଶୀଘ୍ର ଲୋକସଭା ଓ ରାଜ୍ୟ ସଭାରେ ଆଗତ ହୋଇପାରେ। ପରେ ଏହାକୁ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଯିବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ବାରା ଉପସ୍ଥାପିତ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଗତ ସେପ୍ଟେମ୍ବରରେ ମଞ୍ଜୁରୀ ଦେଇଥିଲା। ଏକ ରାଷ୍ଟ୍ର ଏକ ନିର୍ବାଚନ ଅଧୀନରେ ଲୋକସଭା, ବିଧାନସଭା, ମ୍ୟୁନିସପାଲଟି ଏବଂ ପଞ୍ଚାୟତ ନିର୍ବାଚନଗୁଡିକୁ ୧୦୦ ଦିନ ମଧ୍ୟରେ ଶେଷ କରିବାକୁ ଏଥିରେ ପ୍ରସ୍ତାବ ରହିଛି।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ପୁଣି ଥରେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ସେ କହିଥିଲେ ଏହି ବିଲ୍ ଦେଶର ଜିଡିପି ବୃଦ୍ଧି କରିବାର କ୍ଷମତା ରଖେ। ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ ହେବା ଦ୍ବାରା ଦେଶର ଜିଡିପି ୧ରୁ ୧.୫% ବୃଦ୍ଧି ପାଇବ। ଏଣୁ ଏହି ବ୍ୟବସ୍ଥା ପ୍ରତି କେନ୍ଦ୍ର ସରକାରଙ୍କୁ ଜନସମର୍ଥନ ସୃଷ୍ଟି କରିବାକୁ ହେବ । ଦେଶରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ଏକକାଳୀନ କରାଇବା ସପକ୍ଷରେ ମତ ରଖି କୋବିନ୍ଦ ଆହୁରି କହିଥିଲେ ଯେ ଏହି ପ୍ରସଙ୍ଗ କୌଣସି ଦଳର ସ୍ବାର୍ଥ ସମ୍ବଳିତ ନୁହେଁ ବରଂ ଏଥିରେ ସମ୍ପୂର୍ଣ୍ଣ ଦେଶର ହିତ ସମାହିତ ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ଦେଶ ପାଇଁ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ। ଏହା କେବଳ ତାଙ୍କ ମତ ନୁହେଁ ବରଂ ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନେ ମଧ୍ୟ ଏହି ବିଶ୍ବାସ ରଖନ୍ତି ବୋଲି କୋବିନ୍ଦ ସ୍ପଷ୍ଟ କରିଥିଲେ।