ମୁମ୍ଵାଇ: ଦିନକୁ ଦିନ ବଢୁଛି ବିଷ୍ଣୋଇ ଗ୍ୟାଙ୍ଗର ଦୌରାତ୍ମ୍ୟ। ନେତା, ଅଭିନେତା ପରେ ଏବେ ଟାର୍ଗେଟରେ କ୍ଳବ। ଦୁଇ ଦିନ ପୂର୍ବେ ହରିୟାଣାର ଗୁରୁଗ୍ରାମ ଅନ୍ତର୍ଗତ ସେକ୍ଟର-୨ରେ ଥିବା କ୍ଲବ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ବିଷ୍ଣୋଇ ଗ୍ୟାଙ୍ଗ । ଏହି ବିସ୍ଫୋରଣରେ ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ରୋହିତ ଗୋଦରା ଏବଂ ଗୋଲ୍ଡି ବରାର ନିଜକୁ ଦାୟୀ କରିଛନ୍ତି। ଏହାସହ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଏହା ଏକ ଛୋଟ ବିସ୍ଫୋରଣ, ଆଗକୁ ଆହୁରି ବଡ ବିସ୍ଫୋରଣ ମଧ୍ୟ ହେବ।
ଶେୟାର ହୋଇଥିବା ପୋଷ୍ଟରେ ଜୁଆ ବୁକିଜ୍, ବୁକିଜ୍, ହାୱାଲା ବ୍ୟବସାୟୀ ଏବଂ ଡ୍ୟାନ୍ସ କ୍ଲବ୍ ପ୍ରତିଦିନ କୋଟି କୋଟି ଟଙ୍କା ରୋଜଗାର କରିବା ସତ୍ତ୍ୱେ ଟିକସ ଫାଙ୍କିବାକୁ ନେଇ ଏହି ବିସ୍ଫୋରଣ କରାଯାଇଥିବା ଲେଖାଯାଇଛି। ତେବେ ଏହା ଏକ ଛୋଟ ନମୁନା ଏବଂ ଆଗକୁ ବଡ ବିସ୍ଫୋରଣ ହେବା ନେଇ ଚେତାବନୀ ଦିଆଯାଇଛି। ଏହାସହିତ ଯେଉଁମାନେ ଗରିବଙ୍କ ରକ୍ତ ଶୋଷନ୍ତି ଏବଂ ଯେଉଁମାନେ ଟିକସ ଫାଙ୍କି ଦୁଇ ନମ୍ଵର କାମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି, ସେମାନଙ୍କୁ ସତର୍କ ସୂଚନା ଦିଆଯାଇଛି।
ପ୍ରକାଶଥାଉ କି, ଦୁଇଦିନ ପୂର୍ବେ ଅଭିଯୁକ୍ତମାନେ କ୍ଲବକୁ ଟାର୍ଗେଟ କରି ଦୁଇଟି ବୋମା ଫିଙ୍ଗିଥିଲେ। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବହୁତ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା। କ୍ଲବର ଗ୍ଲାସ ଭାଙ୍ଗି କ୍ଲବ ବାହାରେ ପାର୍କିଂ ହୋଇଥିବା ସ୍କୁଟରରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ କରିବା ସହିତ ବୋମାକୁ ନିଷ୍କ୍ରିୟ କରିଥିଲେ। ଏହି ମାମଲାରେ ଜଣେ ଗିରଫ ହେବା ସହିତ ତାଙ୍କ ପାଖରୁ ବୋମା ଉଦ୍ଧାର କରାଯାଇଥିଲା।