ଗତ କିଛି ଦିନର ଲଗାଣ ବର୍ଷା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ତେବେ ଖୁବ ଶୀଘ୍ର ଆଉ ପୁଣିଥରେ ରାଜ୍ୟରେ ପ୍ରବଳ ବର୍ଷିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରକାଶ ପାଇଛି। ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇ ମିଆଁମାର ସଂଲଗ୍ନ ଅଞ୍ଚଳରେ ଗତି କରୁଛି। ତେବେ ଆଗାମୀ ୨ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗ ଦେଇ ଗତି କରି ଉତ୍ତର ପଶ୍ଚିମ ବଙ୍ଗୋପସାଗରକୁ ଅତିକ୍ରମ କରିବା ନେଇ ଆକଳନ କରାଯାଇଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି କିଛି ଅଂଚଳରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଗୁରୁବାର ପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଦେବଗଡ଼, ଝାରସୁଗୁଡ଼ା, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି। ଶୁକ୍ରବାର ପାଇଁ କଟକ, ଜଗତସିଂହପୁର, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ତେବେ ୧୫ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।