ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଚଳିତ ଶୀତ ଋତୁ ଆରମ୍ଭରୁ ଶୀତ ପ୍ରବାହ ଆରମ୍ଭ ହେବା ସହିତ ଗୁରୁବାର ସକାଳେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍ସିୟସକୁ ହ୍ରାସପାଇଛି । ଏହା ପୂର୍ବରୁ ବୁଧବାର ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିପରି ଦେଶର ଉତ୍ତର ଭାଗରେ ଥିବା ରାଜସ୍ଥାନ, ପଞ୍ଜାବ, ହରିଆଣା ଆଦି ରାଜ୍ୟରେ ମଧ୍ୟ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଜମ୍ମୁ ଓ କାଶ୍ମୀରରେ ବୁଧବାର ସାନି ତୁଷାରପାତ ହୋଇଛି । ପୂର୍ବରୁ ୧୯୮୭ ଡିସେମ୍ବର ୬ ତାରିଖରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରୀ ରେକର୍ଡ ହୋଇଥିଲା ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସମଗ୍ର ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିବ । ଉତ୍ତର ପଶ୍ଚିମ ଭାଗ ଏବଂ କେନ୍ଦ୍ର ଭାରତରେ ତାପମାତ୍ରାରେ ଆଗାମୀ ଚାରିରୁ ପାଞ୍ଚଦିନ ମଧ୍ୟରେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରଥମ ଦୁଇଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ପଶ୍ଚିମ ଭାରତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧିଘଟିବ ।