ବେଙ୍ଗାଲୁରୁ: ଦେଶର ପ୍ରଥମ ଏରୋସ୍ପାଇକ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ କରାଯାଇଛି । ଏଥିସହିତ ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ଆଉ ପାଦେ ଆଗକୁ ବଢିଛି । ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ (ଆଇଆଇଏସସି) ପ୍ରୋତ୍ସାହନରେ ସୃଷ୍ଟି ହୋଇଥିବା ଏକ ଷ୍ଟାର୍ଟଅପ୍ ସ୍ପେଶଫିଲ୍ଡସ୍ ପକ୍ଷରୁ ଏହି ଏରୋସ୍ପାଇକ ରକେଟ ଇଞ୍ଜିନ ପରୀକ୍ଷଣ କରାଯାଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲାର ଚାଲାକେରେ ଠାରେ ଥିବା ଆଇଆଇଏସସି ପ୍ରପଲସନ ପରୀକ୍ଷଣ କେନ୍ଦ୍ରରେ ଏହି ରକେଟ ପରୀକ୍ଷା କରାଯାଇଛି । ୧୬୮ ମିଲିମିଟର ଆକାର ରକେଟ ଇଞ୍ଜିନକୁ ସ୍ଥିର ଅବସ୍ଥାରେ ପରୀକ୍ଷା କରାଯାଇଥିଲା ।
ପ୍ରାଥମିକ ପର୍ଯ୍ୟାୟରେ ଇଞ୍ଜିନରେ ସାମାନ୍ୟ ଅସ୍ଥିରତା ଦେଖାଦେଇଥିଲା, କିନ୍ତୁ ତାହାପରେ ସେଥିରେ ସ୍ଥିର ଦହନ ଘଟିଥିଲା । ପରୀକ୍ଷଣରେ ଏକ ସ୍ୱତନ୍ତ୍ର ଯୋ÷ଗିକ ଇନ୍ଧନକୁ ବ୍ୟବହାର କରାଯାଇଥିଲା ଏବଂ ସେଥିରେ ସର୍ବାଧିକ ୧୧ ବାର୍ ଚାପ ରେକର୍ଡ କରାଯାଇଥିଲା ଯାହା ଶୀର୍ଷ ଥ୍ରଷ୍ଟ ୨୦୦୦ ନିୟୁଟନ୍ ସୃଷ୍ଟି କରିଥିଲା । ସ୍ପେଶଫିଲ୍ଡସ୍ ଟାଇଟାନିୟମ ଗ୍ରେଡ ୫କୁ ଇଞ୍ଜିନି ନିମନ୍ତେ ମୁଖ୍ୟ ପଦାର୍ଥ ଭାବରେ ବ୍ୟବହାର କରିଥିଲା । କମ୍ପାନୀ ପକ୍ଷରୁ ରକେଟ ପ୍ରଯୁକ୍ତିର ପରିସୀମାକୁ ପରିବ୍ୟାପ୍ତ କରିବା ନିମନ୍ତେ ପ୍ରୟାସ ଚାଲିଥିବାବେଳେ ଏହି ରକେଟ ଇଞ୍ଜିନ ତାହାର ଅଂଶବିଶେଷ ବୋଲି କୁହାଯାଉଛି । ଏରୋସ୍ପାଇକ ଇଞ୍ଜିନଗୁଡିକ ସ୍ୱତନ୍ତ୍ର କାରଣ ସେଗୁଡିକ ବିଭିନ୍ନ ଉଚ୍ଚତା ସହିତ ଖାପ ଖୁଆଇଥାଏ ଏବଂ ପାରିବେଶିକ ଚାପ ନିର୍ବିଶେଷରେ ତାହା ନିଜର କାର୍ଯ୍ୟଦକ୍ଷତାକୁ ବଜାୟ ରଖେ । ଏହି ବୈଶିଷ୍ଟ୍ୟ ଏରୋସ୍ପାଇକ ଇଞ୍ଜିନଗୁଡିକୁ ପାରମ୍ପରିକ ରକେଟ ଇଞ୍ଜିନ ତୁଳନାରେ ଅଧିକ ସମର୍ଥ ଓ କାର୍ଯ୍ୟଦକ୍ଷ କରୁଛି ଏବଂ ମହାକାଶ ଅଭିଯାନ ସମୟରେ ସେଥିରେ ଅତିରିକ୍ତ ପର୍ଯ୍ୟାୟ ଯୋଡିବା ଆବଶ୍ୟକ ହେଉନାହିଁ । ତାହାସହିତ ଏଗୁଡିକ ଇନ୍ଧନ ବ୍ୟବହାର ପରିମାଣ ମଧ୍ୟ ହ୍ରାସ କରୁଛି । ଏହି ଇଞ୍ଜିନର ସଫଳ ପରୀକ୍ଷଣ ସ୍ପେଶଫିଲ୍ଡସ୍ ଷ୍ଟାର୍ଟଅପକୁ ପରବର୍ତ୍ତୀ ପିଢିର ରକେଟ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ଭାବରେ ଅବସ୍ଥାପିତ କରୁଛି ।