ନୂଆଦିଲ୍ଲୀ: `ଏକ ଦେଶ ଏକ ନିର୍ବାଚନ’ ବିଲ୍ କୁ ଗୁରୁବାର ମିଳିଛି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ସପ୍ତାହରେ ସଂସଦର ଶୀତ ଅଧିବେଶରେ ଏହି ବିଲ୍କୁ ଆଗତ କରାଯିବାର ସମ୍ଭାବନା ରହିଛି। ସରକାର ଏହି ବିଲ୍ ଉପରେ ବ୍ୟାପକ ମତାମତ ଗ୍ରହଣ କରିବାକୁ ବିଚାର କରୁଥିବାରୁ ଏହାକୁ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଯିବ। କମିଟି ଜରିଆରେ ବିଭିନ୍ନ ରାଜ୍ୟର ବାଚସ୍ପତିଙ୍କ ପରାମର୍ଶ ଲୋଡାଯିବ।
ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଅଧୀନରେ ପ୍ରଥମେ ଲୋକସଭା ଓ ବିଧାନସଭା ନିର୍ବାଚନ ଏବଂ ଏହାର ୧୦୦ ଦିନ ଭିତରେ ମ୍ୟୁନିସପାଲଟି ଏବଂ ପଞ୍ଚାୟତ ନିର୍ବାଚନଗୁଡିକୁ ଶେଷ କରିବାର ପ୍ରସ୍ତାବ ରହିଛି। ଏନେଇ ଉଦ୍ଦିଷ୍ଟ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ସେପ୍ଟେମ୍ବରରେ ମଞ୍ଜୁରୀ ଦେଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହା ଉପରେ ୧୧ଟି ସୁପାରିଶ କରିଥିଲା। ପ୍ରତିବର୍ଷ ବାରମ୍ବାର ନିର୍ବାଚନ କରାଇବା ଦ୍ବାରା ଅର୍ଥନୀତି, ରାଜନୀତି ଏବଂ ସମାଜ ଉପରେ ନକରାତ୍ମକ ପ୍ରଭାବ ପଡୁଥିବାରୁ ଦେଶରେ ଏକକାଳୀନ ନିର୍ବାଚନ କରାଇବା ଉଚିତ ବୋଲି କମିଟି ଦର୍ଶାଇଥିଲା। କୋବିନ୍ଦ ବୁଧବାର କହିଥିଲେ ଏହି ପ୍ରସଙ୍ଗ କୌଣସି ଦଳର ସ୍ବାର୍ଥ ସମ୍ବଳିତ ନୁହେଁ ବରଂ ଏଥିରେ ସମ୍ପୂର୍ଣ୍ଣ ଦେଶର ହିତ ସମାହିତ ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ଦେଶ ପାଇଁ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ। କାରଣ ଏହା ଦେଶର ଜିଡିପିରେ ୧ରୁ ୧.୫% ବୃଦ୍ଧି କରିବାର କ୍ଷମତା ରଖେ। ଆଉ ଏହା କେବଳ ତାଙ୍କ ମତ ନୁହେଁ ବରଂ ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନେ ମଧ୍ୟ ଏହି ବିଶ୍ବାସ ରଖନ୍ତି ବୋଲି କୋବିନ୍ଦ ସ୍ପଷ୍ଟ କରିଥିଲେ।
ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା ଆସିଛି। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ଏକ ଦେଶ ଏକ ଶିକ୍ଷା ଏବଂ ଏକ ଦେଶ ଏକ ସ୍ବାସ୍ଥ୍ୟ ସୁବିଧା ବ୍ୟବସ୍ଥା ମଧ୍ୟ ଦେଶ ଚାହୁଁଛି। କେନ୍ଦ୍ରର ଏହି ପଦକ୍ଷେପକୁ ଅବାସ୍ତବ ଓ ଗଣତନ୍ତ୍ର ବିରୋଧୀ ବୋଲି ଦର୍ଶାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ। ଏହା ରାଜ୍ୟଗୁଡିକର ସ୍ବର କ୍ଷୀଣ କରିବା ସହିତ ସଂଘବାଦ ଏବଂ ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ସତ୍ତାବାଦୀ ପଦକ୍ଷେପ ଯାହା ଭାରତ ଗଣତନ୍ତ୍ର ଓ ସଙ୍ଘୀୟ ବ୍ୟବସ୍ଥାକୁ ଉପେକ୍ଷା କରିବ ବୋଲି କହିଛନ୍ତି।