ନୂଆଦିଲ୍ଲୀ: ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହେବ ଚମ୍ପିଆନ୍ସ ଟ୍ରଫି-୨୦୨୫। ଭାରତର ମ୍ୟାଚଗୁଡିକ ଦୁବାଇରେ ଖେଳାଯିବ ଏବଂ ଅନ୍ୟ ମ୍ୟାଚଗୁଡିକ ପାକିସ୍ତାନରେ ଅନୁଷ୍ଠିତ ହେବ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟରେ ଏକ ଚୁକ୍ତି ପରେ ଆଇସିସି ଏହାକୁ ମଞ୍ଜୁରୀ ଦେଇଛି। ସେହିଭଳି ୨୦୨୬ ଟି-୨୦ ବିଶ୍ବକପ୍ର ଲିଗ୍ ମ୍ୟାଚ ଭାରତ ବିପକ୍ଷରେ ଖେଳିବାକୁ ପାକିସ୍ତାନ କ୍ରିକେଟ ଦଳ ଭାରତ ଆସିବ ନାହିଁ। ଏହାକୁ ନେଇ ମଧ୍ୟ ଉଭୟ ବୋର୍ଡ ଭିତରେ ସହମତି ପ୍ରକାଶ ପାଇଛି। ଏଥିକ୍ରମେ ଭାରତ ପାକିସ୍ତାନ ବିପକ୍ଷରେ ଟି-୨୦ ବିଶ୍ବକପ୍ର ଲିଗ୍ ମ୍ୟାଚ ସହଆୟୋଜକ ଶ୍ରୀଲଙ୍କା ରାଜଧାନୀ କଲମ୍ବୋଠାରେ ଖେଳିବ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ହାଇବ୍ରିଡ ମଡେଲ ଆୟେଜନ ପାଇଁ ପିସିବିକୁ କୌଣସି କ୍ଷତିପୂରଣ ମିଳିବ ନାହିଁ। ପ୍ରତିବଦଳରେ ପିସିବିକୁ ୨୦୨୭ ପରେ ଆଇସିସି ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜନର ଅଧିକାର ମିଳିଛି। ଏହି ଚୁକ୍ତିକୁ ସମସ୍ତ ଅଂଶୀଦାର ସ୍ବୀକାର କରିଛନ୍ତି। ଆୟୋଜନ ଭିତ୍ତିକ ତଥା ଭୌଗୋଳିକ ସମସ୍ୟାର ସମାଧାନ ପୂର୍ବକ ଏହି ଟୁର୍ଣ୍ଣାମେଣ୍ଟଗୁଡିକୁ ସୁପରିଚାଳନା ସୁନିଶ୍ଚିତ କରିବାକୁ ସହମତି ପ୍ରକାଶ ପାଇଛି। ଉଲ୍ଳେଖ ଯେ ୮ଟି କ୍ରିକେଟ ଦଳକୁ ନେଇ ଫେବୃଆରୀ ୧୯ରୁ ମର୍ଚ୍ଚ ୯ ପର୍ଯ୍ୟନ୍ତ ଚମ୍ପିଆନ୍ସ ଟ୍ରଫି-୨୦୨୫ ଅନୁଷ୍ଠିତ ହେବ।