ନୂଆଦିଲ୍ଲୀ: ସଂସଦରେ ଶୁକ୍ରବାରଠୁ ଆରମ୍ଭ ହୋଇଯାଇଛି ସମ୍ବିଧାନ ଉପରେ ସ୍ବତନ୍ତ୍ର ଆଲୋଚନା। ଏହି ଆଲୋଚନାରେ ସମ୍ବିଧାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିପକ୍ଷ। ସମ୍ବିଧାନର ପଦମର୍ଯ୍ୟାଦାକୁ ନେଇ ବିଜେପି ଓ କଂଗ୍ରେସ ପରସ୍ପରକୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ଏହି ଆଲୋଚନାର ଶୁଭାରମ୍ଭ କରିଥିଲେ। ସେ କହିଛନ୍ତି ସମ୍ବିଧାନ କୌଣସି ଦଳର ଉପହାର ନୁହେଁ । କଂଗ୍ରେସ ସମ୍ବିଧାନର ମୌଳିକ ଆଦର୍ଶଗୁଡିକୁ ଧ୍ବଂସ କରିବାକୁ ଉଦ୍ୟମ କରିଛି। ଏମିତିକି ସମ୍ବିଧାନର ସ୍ବାୟତତାକୁ ଏହି ଦଳ କେବେ ସହ୍ୟ କରିପାରିନାହିଁ । ବରଂ ଅନ୍ୟ ଦଳଗୁଡିର ଅବଦାନକୁ ଉପେକ୍ଷା କରି ସମ୍ବିଧାନକୁ ନିଜର ଅବଦାନ ବୋଲି କଂଗ୍ରେସ ଦର୍ଶାଇ ଆସୁଥିବା ରାଜନାଥ କହିଛନ୍ତି।
ପରେପରେ ସାଂସଦ ଭାବେ ଲୋକ ସଭାରେ ନିଜର ପ୍ରଥମ ବକ୍ତବ୍ୟ ରଖି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମଣିପୁର ଓ ସମ୍ଭଲ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ସ୍ଥାଣୁ ଆଭିମୁଖ୍ୟ ଆପଣାଇଥିବା ଦର୍ଶାଇ ସେ କଡ଼ା ସମାଲୋଚନା କରିଥିଲେ। ପ୍ରିୟଙ୍କା କହିଥିଲେ ସମ୍ବିଧାନ ଯେ ସଙ୍ଘ ପରିବାରର ନିୟମାମଳୀ ନୁହେଁ ତାହା ପ୍ରଧାନମନ୍ତ୍ରୀ ବୁଝିବା ଦରକାର । ସମ୍ବିଧାନ ନ୍ୟାୟ, ଏକତା ଓ ବାକ୍ ସ୍ବାଧୀନତାର ଏକ କବଚ। ମାତ୍ର ବିଜେପି ସରକାର ବିଗତ ୧୦ ବର୍ଷ ଭିତରେ ଏହାକୁ ଭାଙ୍ଗିବାର ସମସ୍ତ ଉଦ୍ୟମ କରିଥିବା ପ୍ରିୟଙ୍କା ଦର୍ଶାଇଛନ୍ତି। ଏଥିସହ ଅଦାନୀ ଗ୍ରୁପକୁ ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କ ସମର୍ଥନ ମିଳୁଥିବା ନେଇ ସମାଲୋଚନା କରିବା ସହ ହିମାଚଳ ପ୍ରଦେଶର ସେଓ କୃଷକଙ୍କ କଥା ମଧ୍ୟ ସଂସଦରେ ଉଠାଇଛନ୍ତି ପ୍ରିୟଙ୍କା।