ନୂଆଦିଲ୍ଲୀ: ସମ୍ବିଧାନ ପ୍ରସ୍ତାବ ସ୍ବୀକୃତିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂସଦରେ ଶୁକ୍ରବାର ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ବକ୍ତବ୍ୟ ପରେ ଗୃହରେ ହଟ୍ଟଗୋଳ ହୋଇଛି। ମହୁଆ ତାଙ୍କ ବକ୍ତବ୍ୟରେ ଜଷ୍ଟିସ ଲୋୟାଙ୍କ ପ୍ରସଙ୍ଗ ଉଠାଇବା ପରେ ହଟ୍ଟଗୋଳ କାରଣରୁ ଗୃହକୁ ସଂନ୍ଧ୍ୟା ଭିତରେ ଦୁଇଥର ମୁଲତବୀ ରଖିବାକୁ ପଡିଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଫଇସଲା ହୋଇଥିବା ଏକ ମାମଲା ଉଠାଇଥିବାରୁ ମହୁଆଙ୍କୁ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ସମାଲୋଚନା କରିବା ସହ ସଂସଦୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଯାହାକୁ ସିଧାସଳଖ ଧମକ ବୋଲି ଦର୍ଶାଇ ବିପକ୍ଷ ହଙ୍ଗାମା କରିଥିଲା। ବାଚସ୍ପତି ଓମ ବିର୍ଲା ଏଥିରେ ହସ୍ତକ୍ଷେପ କରି ଘଟଣାର ଯାଞ୍ଚ କରିବାକୁ ପ୍ରତିଶ୍ରୁତି ଦେବା ପରେ ଗୃହକାର୍ଯ୍ୟ ଆଗେଇଥିଲା। ସେହିଭଳି ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡିକୁ ଉପେକ୍ଷା କରାଯାଉଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ ଉଠାଇଥିବା ବେଳେ ଶିବସେନା ୟୁବିଟି ନେତା ଅରବିନ୍ଦ ସାଓ୍ବନ୍ତ କହିଥିଲେ ବିଚାରବିଭାଗ ଆଉ ସ୍ବାଧୀନ ହୋଇ ରହିନାହିଁ। ଏଠାରେ ବିଚାରପତିମାନେ ଇସ୍ତଫା ଦେଇ ରାଜନୀତିରେ ସାମିଲ ହେଉଥିବା ସାଓ୍ବନ୍ତ ଉଲ୍ଲେଖ କରିଥିଲେ। ପ୍ରତିଜବାବରେ କାଶ୍ମୀର ପ୍ରସଙ୍ଗ ଉଠାଇ ବିଜେପି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ ନେହରୁଙ୍କ ସମୟରୁ କରାଯାଇଥିବା ଭୁଲ ପାଇଁ ପିଢି ପରେ ପିଢି ସମସ୍ୟାରେ ପଡୁଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ଲଲନ କହିଥିଲେ ଯେ ଯେଉଁମାନେ ସମ୍ବିଧାନକୁ ଅସମ୍ମାନ କରିଥିଲେ ସେମାନେ ସମ୍ବିଧାନର ନମୁନା ଧରି ତାହାର ସୁରକ୍ଷାଦାତା ପାଲଟିଥିବା ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି।
ଉଲ୍ଲେଖ ଯେ ଶନିବାର ମଧ୍ୟ ଲୋକସଭାରେ ଏହି ସ୍ବତନ୍ତ୍ର ଆଲୋଚନା ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନା ଉପରେ ଜବାବ ରଖିବେ। ପରେ ଡିସେମ୍ବର ୧୬ ଓ ୧୭ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ରାଜ୍ୟସଭାରେ ସମ୍ବିଧାନ ଉପରେ ଆଲୋଚନା ହେବ।