ନୂଆଦିଲ୍ଲୀ: ବିଦ୍ବେଶ ସୃଷ୍ଟିକାରୀ ମନ୍ତବ୍ୟ (ହେଟ୍ ସ୍ପିଚ୍) ଏବଂ ସାମ୍ପ୍ରଦାୟିକ ଅସହିଷ୍ଣୁତାର ପ୍ରସାର ଅଭିଯୋଗରେ ଆହ୍ଲାବାଦ୍ ହାଇକୋର୍ଟ ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି ଶୁକ୍ରବାର ରାଜ୍ୟସଭାରେ ଏକ ଆବେଦନ ହୋଇଛି। ସାଂସଦ କପିଲ ସିବଲଙ୍କ ସମେତ ରାଜ୍ୟ ସଭାର ୫୫ ଜଣ ସାଂସଦ ଏହି ଆବେଦନ କରିଛନ୍ତି। ୨୧ ପୃଷ୍ଠା ସମ୍ବଳିତ ଏହି ଅାବେଦନ ପତ୍ରରେ କଂଗ୍ରେସର ପି ଚିଦାମ୍ବରମ ଓ ଦିଗବିଜୟ ସିଂହ, ଆପ୍ ର ରାଘବ ଚଢା, ଟିଏମସିର ସାଗରିକା ଘୋଷ ଓ ସକେତ ଗୋଖଲେ, ଆରଜେଡିର ମନୋଜ ଝା ଏବଂ ସିପିଆଇଏମର ଜନ୍ ବ୍ରିଟ୍ଟାସଙ୍କ ସମେତ ୫୫ ଜଣ ସାଂସଦଙ୍କ ଦସ୍ତଖତ ରହିଛି। ଏଥିରେ କୁହାଯାଇଛି ଯେ ନିକଟରେ ବିଶ୍ବହିନ୍ଦୁ ପରିଷଦର ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ଯାଦବ ଦେଇଥିବା ବକ୍ତବ୍ୟ ଦେଶର ସଂଖ୍ୟାଲଘୁଙ୍କ ବିରୋଧରେ ଉଦ୍ଦିଷ୍ଟ ଥିବା ପ୍ରାଥମିକ ଭାବେ ସ୍ପଷ୍ଟ ଜଣାପଡୁଛି। ସାର୍ବଜନୀନ ସ୍ଥାନରେ ରାଜନୈତିକ ପ୍ରସଙ୍ଗ ଉପରେ ମତ ରଖି ଜଷ୍ଟିସ ଯାଦବ ନିଜ ସୀମା ଉଲ୍ଲଙ୍ଘନ କରିଥିବା ଆବେଦନରେ ଦର୍ଶଯାଇଛି। ଉଲ୍ଲେଖ ଯେ ଦେଶରେ ସଂଖ୍ୟାଗରିଷ୍ଠ ଥିବାରୁ ହିନ୍ଦୁଙ୍କ ଇଚ୍ଛା ଅନୁସାରେ ଦେଶ ଚାଲିବ ବୋଲି ଜଷ୍ଟିସ ଯାଦବ ଭିଏଚପି କାର୍ଯ୍ୟକ୍ରମରେ କହିଥିଲେ।