ନୂଆଦିଲ୍ଲୀ: ଲକ୍ଷାଧିକ ସଂଖ୍ୟାରେ ବେଆଇନ ପ୍ରବାସୀମାନଙ୍କୁ ଦେଶାନ୍ତର କରିବାକୁ ଯାଉଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯାହାକି ଆମେରିକା ଇତିହାସରେ ସବୁଠାରୁ ବଡ଼ ଦେଶାନ୍ତର ଘଟଣା ହେବ। ଏ ନେଇ ଆମେରିକା ପ୍ରବାସନ ଏବଂ ଶୁଳ୍କ ପ୍ରବର୍ତ୍ତନ (ଆଇସିଇ) ପକ୍ଷରୁ ପ୍ରାୟ ୧.୫ ନିୟୁତ ବେଆଇନ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୮,୦୦୦ ବେଆଇନ ପ୍ରବାସୀ ଭାରତୀୟ। ଯେଉଁମାନଙ୍କ ପ୍ରବାସନ ନେଇ ଆମେରିକା ପ୍ରଶାସନ ପାଖରେ କୌଣସି ଦସ୍ତାବିଜ୍ ନାହିଁ। ଏମାନଙ୍କୁ ଭାରତ ଫେରାଇ ଦେବାକୁ ଆମେରିକା ପ୍ରଶାସନ ପ୍ରସ୍ତୁତି ଚାଳାଇଛି। ଜାନୁଆରୀ ୨୦ରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଏହି ତାଲିକା ଉପରେ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ ହେବ।
ବେଆଇନ ପ୍ରବାସୀଙ୍କ ସମ୍ବନ୍ଧରେ ୨୦୨୪ ନଭେମ୍ବରରେ ଆଇସିଇ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥି ଅନୁସାରେ ଆମେରିକାରେ ରହୁଥିବା ୧୭,୯୪୦ ଜଣ ବେଆଇନ ପ୍ରବାସୀ ଭାରତୀୟଙ୍କ ସମେତ ୧.୫ ନିୟୁତ ବେଆଇନ ଅଣନାଗରିକଙ୍କୁ ଆମେରିକା ଛାଡି ଚାଲିଯିବା ପାଇଁ ଆମେରିକା ପ୍ରଶାସନର ଚୂଡାନ୍ତ ନିର୍ଦ୍ଦେଶ ମିଳିସାରିଛି। ତଥ୍ୟ ଅନୁସାରେ ପ୍ରାୟ ୭ ଲକ୍ଷ ୨୫ ହଜାର ଭାରତୀୟ ବେଆଇନ ଭାବେ ଆମେରିକାରେ ରହୁଛନ୍ତି। ଆମେରିକାରେ ଅନୁପ୍ରବେଶ ମାମଲାରେ ମେକ୍ସିକୋ ଓ ଏଲ୍ ସାଲଭାଡର ପରେ ଭାରତର ତୃତୀୟ ସ୍ଥାନରେ ଥିବା ପିଉ ରିସର୍ଚ୍ଚ ସେଣ୍ଟର ନାମକ ସଂସ୍ଥା ନିକଟରେ ପ୍ରକାଶ କରିଥିଲା। ଅକ୍ଟୋବରରେ ଏହି ତଥ୍ୟ ପ୍ରକାଶ ପାଇବା ପୂର୍ବରୁ ଆମେରିକା ପ୍ରଶାସନ ସେଠାରେ ରହୁଥିବା କିଛି ବେଆଇନ ପ୍ରବାସୀ ଭାରତୀୟଙ୍କୁ ଏକ ଚାର୍ଟର୍ଡ ଫ୍ଲାଇଟ ଦ୍ବାରା ସ୍ବଦେଶ ପଠାଇବା ଆରମ୍ଭ କରିଥିଲେ। ଭାରତ ସରକାରଙ୍କ ସହଯୋଗୀତାରେ ପ୍ରଥମ ଫ୍ଲାଇଟ ଅକ୍ଟୋବର ୨୨ରେ ଭାରତ ଅଭିମୁଖେ ବାହାରିଥିଲା ବୋଲି ଆମେରିକା ହୋମଲାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସତ୍ତ୍ବେ ନିଜର ଅଣପଞ୍ଜିକୃତ ପ୍ରବାସୀମାନଙ୍କୁ ଫେରାଇ ଆଣିବାରେ ଭାରତୀୟ ଅଧିକାରୀମାନେ ସହଯୋଗିତାପୂର୍ଣ୍ଣ ମନୋଭାବ ଦେଖାଉ ନ ଥିବା ଆଇସିଇ ଅଭିଯୋଗ କରିଛି।
ଉଲ୍ଲେଖ ଯେ ହଜାରହଜାର ସଂଖ୍ୟକ ବେଆଇନ ପ୍ରବାସୀ ଭାରତୀୟ ଆମେରିକାରେ ନିଜର ରହଣିକୁ ଆଇନ ସମ୍ମତ କରିବା ଉଦ୍ୟମ ଚଳାଇଛନ୍ତି। ଆଇସିଇର କ୍ଲିୟରାନ୍ସ ପାଇଁ ବର୍ଷବର୍ଷ ଧରି ଏମାନେ ଅପେକ୍ଷା କରି ରହିଛନ୍ତି। ତେବେ ବିଗତ ୩ଟି ଆର୍ଥିକ ବର୍ଷ ଭିତରେ ପାଖାପାଖି ୯୦ ହଜାର ଭାରତୀୟ ବେଆଇନ ଭାବେ ଆମେରିକା ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ଜଣାପଡିଛି।
ଆଇସିଇର ଦ୍ବାରା ପ୍ରସ୍ତୁତ ତାଲିକା ଅନୁସାରେ ହାଣ୍ଡୁରସରୁ ସର୍ବାଧିକ ୨ ଲକ୍ଷ ୬୧ ହଜାର ୬୫୧ ଜଣ ବେଆଇନ ପ୍ରବାସୀ ଆମେରିକାରେ ଅଛନ୍ତି। ଏହି ତାଲିକାରେ ଗୁଏଟମାଲା, ମେକ୍ସିକୋ ଏବଂ ଏଲ ସାଲଭାଡୋରରୁ ଯଥାକ୍ରମେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସର୍ବାଧିକ ଅନୁପ୍ରବେଶ ହୋଇଛି। ଏହି ବେଆଇନ ପ୍ରବାସୀମାନଙ୍କ ନାଗରିକତାକୁ ସ୍ବୀକାର କରି ସେମାନଙ୍କୁ ତୁରନ୍ତ ନିଜ ଦେଶକୁ ଫରାଇ ନେବା ଲାଗି ବିଦେଶୀ ରାଷ୍ଟ୍ରଗୁଡିକୁ ଆମେରିକା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏଥିରେ ବିଚ୍ୟୁତି ହେଲେ ଆଇସିଇ ଏହି ଦେଶଗୁଡିକୁ ‘ଅସହଯୋଗିତାପୂର୍ଣ୍ଣ’ ଘୋଷଣା କରିବ ବୋଲି ମଧ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ଭିତରେ ଭାରତ ସମେତ ୧୫ଟି ଦେଶକୁ ଆଇସିଇ ‘ଅସହଯୋଗିତାପୂର୍ଣ୍ଣ’ ବୋଲି ବିଚାର କରୁଛି। ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ଅଛନ୍ତି ଭୁଟାନ, ବର୍ମା, କ୍ୟୁବା, କଙ୍ଗୋ, ଇରିଟ୍ରିଆ, ଇଥିଓପିଆ, ହଂକଂ, ଇରାନ, ଲାଓସ, ପାକିସ୍ତାନ, ଚୀନ୍, ରୁଷ, ସୋମାଲିଆ ଏବଂ ଭେନେଜୁଲା।