ହାଇଦରାବାଦ: ଫିଲ୍ମ ପୁଷ୍ପା-୨ର ପ୍ରିମିଅର ଅବସରରେ ଘଟିଥିବା ଦଳାଚକଟା ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ଦିନତମାମ ଦେଖିବାକୁ ମିଳିଛି ହାଇ-ଡ୍ରାମା। ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ଙ୍କୁ ହାଇଦରାବାଦ୍ ପୋଲିସ ଗିରଫ କରିବାର ୫ ଘଣ୍ଟା ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି। ଚିକ୍କାଡପାଲ୍ଲି ଥାନା ପୋଲିସ ସକାଳେ ଅଲ୍ଲୁ ଅର୍ଜୁନଙ୍କ ବାସଭବନ ଜୁବଲି ହିଲ୍ସରେ ପହଞ୍ଚି ତାଙ୍କୁ ହାଜତକୁ ନେଇଥିଲା। ପରେ ନାମପାଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଚଞ୍ଚଳଗୁଡା କାରାଗାରରେ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରଖାଯିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ମାମଲାକୁ ରଦ୍ଦ କରିବା ଲାଗି ଅଲ୍ଲୁ ଗୁରୁବାର କରିଥିବା ଆବେଦନ ଉପରେ ଶୁଣାଣି କରି ହାଇଦରାବାଦ ହାଇକୋର୍ଟ ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜାନୁଆରୀ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଘଟଣାରେ ପୂର୍ବରୁ ଥିଏଟରର ମାଲିକ ଏବଂ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖ ଯେ ଗତ ୪ ତାରିଖରେ ହାଇଦରାବାଦସ୍ଥିତ ସନ୍ଧ୍ୟା ଥିଏଟରରେ ଫିଲ୍ମ ପୁଷ୍ପା-୨ର ପ୍ରିମିଅର ଅବସରରେ ପ୍ରବଳ ଭିଡ଼ କାରଣରୁ ଥିଏଟର ବାହାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ ଭିତରେ ଚାପି ହୋଇ ଅଣନିଃଶ୍ବାସୀ ହେବା ଯୋଗୁ ୩୫ ବର୍ଷୀୟ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ୯ ବର୍ଷ ବୟସ୍କ ପୁଅକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ଘଟଣାକୁ ନେଇ ଅଲ୍ଲୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସିଂହିତା ବା ବିଏନଏସର ଧାରା ୧୦୫ଅନୁସାରେ ଉଦ୍ଦେଶ୍ୟ ନ ଥାଇ ଅତ୍ୟା ଏବଂ ୧୧(୧) ଅର୍ଥାତ ଘାତକ ସାମଗ୍ରୀ ବ୍ୟବହାର ପୂର୍ବକ ସ୍ବତଃପୃତ ଭାବେ ଆହତ କରିବାର ଅଭିଯୋଗ ରହିଛି। ଏହି ମାମଲାକୁ ରଦ୍ଦ କରିବାକୁ ଅଲ୍ଲୁ ହାଇଦରାବାଦ ହାଇକୋର୍ଟରେ ଗୁରୁବାର ଏକ ଆବେଦନ କରିଥିଲେ। ଏମିତିକି ମୃତ ମହିଳାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ ବୋଲି ଅଲ୍ଲୁ ଘଟଣା ବିଷୟରେ ଶୁଣିବା ପରେ ଘୋଷଣା କରିଥିଲେ।
ତେବେ ପୋଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଶୟନ କକ୍ଷ ପର୍ଯ୍ୟନ୍ତ ଚାଲିଯିବା ଘଟଣାକୁ ଅଲ୍ଲୁ ନିନ୍ଦା କରିଛନ୍ତି। ସୂଚନା ଅନୁସାରେ ଅଲ୍ଲୁଙ୍କ ପତ୍ନୀ ସ୍ନେହା ରେଡ୍ଡି, ଭାଇ ଆଲୁ ସିରିସ ଏବଂ ପିତା ଅଲ୍ଲୁ ଅରବିନ୍ଦଙ୍କ ସହିତ କଫି ପିଉଥିବା ବେଳେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା। ପୋଷାକ ବଦଳାଇବାକୁ ଉପର ମହଲାସ୍ଥିତ ନିଜ ଶୟନକକ୍ଷକୁ ଯିବା ଲାଗି ଅଲ୍ଲୁ ଅନୁମତି ଲୋଡିବାରୁ ଜଣେ ପୋଲିସ କର୍ମଚାରୀ ତାଙ୍କ ସହିତ ତାଙ୍କ ଶୟନକକ୍ଷକୁ ଯାଇଥିଲେ।
ଗିରଫ ଖବର ଶୁଣି ତାଙ୍କ ସମ୍ପର୍କୀୟ ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଓ ତାଙ୍କ ଭାଇ ତଥା ସୁପରଷ୍ଟାର ଚିରଞ୍ଜିବୀ ଅଲ୍ଲୁଙ୍କ ଘରେ ପହଞ୍ଚିଥିଲେ। ଅଲ୍ଲୁଙ୍କ ଗିରଫଦାରୀ ବିରୋଧରେ ଟଲିଉଡରୁ ବଲିଉଡ ପର୍ଯ୍ୟନ୍ତ ଉଠିଛି ସ୍ବର। ନାନା ପାଟେକର, ବରୁଣ ଧବନ ପ୍ରମୁଖ ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି। ଭାରତୀୟ ରାଷ୍ଟ୍ର ସମିତି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ କେ.ଟି. ରାମାରାଓ ଟ୍ବିଟ କରିଛନ୍ତି ଯେ ଜାତୀୟ ପୁରସ୍କାର ପ୍ରାପ୍ତ ଜଣେ ଅଭିନେତାଙ୍କୁ ଗିରଫ କରାଯିବା ରାଜ୍ୟ ସରକାରର ଅସୁରକ୍ଷିତ ମନୋଭାବକୁ ବୁଝାଉଛି। କାରଣ ଏହି ମାମଲାରେ ଅଲ୍ଲୁ ସିଧାସଳଖ ଜଡିତ ନୁହନ୍ତି। ଏହି ଘଟଣା ପାଇଁ ବାସ୍ତବରେ କିଏ ଦାୟୀ ତାହା ରାମାରାଓ ପ୍ରଶ୍ନ କରିଛନ୍ତି। ଆଇନର ଆଢୁଆଳରେ ପୋଲିସ ନିଜ ଦାୟିତ୍ବହୀନତା ଲୁଚାଇବାର ପ୍ରୟାସ କରୁଥିବା ଅଲ୍ଲୁଙ୍କ ଶୁଭଚିନ୍ତକ ତଥା ସମର୍ଥକ ଅଭିଯୋଗ କରିଛନ୍ତି।
ମାତ୍ର ଡିସେମ୍ବର ୪ରେ ଥିଏଟରରେ ଅଲ୍ଲୁ ପହଞ୍ଚୁଥିବା ନେଇ ପୂର୍ବ ସୂଚନା ମିଳି ନଥିଲା ବୋଲି ପୋଲିସ କହିଛି । ଏହାର କିଛି ଘଣ୍ଟା ପରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଲାଗି ସନ୍ଧ୍ୟା ଥିଏଟର ପକ୍ଷରୁ ପୋଲିସକୁ କରାଯାଇଥିବା ନିବେଦନ ସମ୍ବଳିତ ଚିଠିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ପ୍ରସଙ୍ଗରେ ଆଇନ ତା ବାଟରେ ଉଚିତ କାମ କରିବ, ଏଥିରେ କାହାରି ହସ୍ତକ୍ଷେପ ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରେବନ୍ତା ରେଡ୍ଡୀ କହିଛନ୍ତି। ସେପଟେ ଅଲ୍ଲୁଙ୍କ ଗିରଫଦାରୀରେ ମର୍ମାହତ ହୋଇ ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିନେବେ ବୋଲି କହିଛନ୍ତି ମୃତ ମହିଳାଙ୍କ ସ୍ବାମୀ।