ଭୁବନେଶ୍ୱର : ଖୁବଶୀଘ୍ର ନୟାଗଡ଼ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଏଥିସହିତ ୬ କୋଟି ଟଙ୍କା ବ୍ୟୟରେ ସାଇନ୍ସ ପାର୍କ ପ୍ରତିଷ୍ଠା ହେବ । ଗଣିତ ବିଶ୍ୱବିଦ୍ୟାଳୟ, ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରୋନୋମି ସେଣ୍ଟର ନିର୍ମାଣ ହେବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।ନୟାଗଡ଼ରେ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବା ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ।
ସୂଚନା ଅନୁଯାୟୀ, ଶୁକ୍ରବାର ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟ୍ୟାଟ୍ସ)ର ୧୮ତମ ଗ୍ରାଣ୍ଡ ଫାଇନାଲ ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ା ଠାରେ ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି । ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଏକ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବା ଫଳରେ ଜିଲ୍ଲାବାସୀ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଜାଣିପାରିବେ । ଏଥିସହିତ ଛାତ୍ରଛାତ୍ରୀଙ୍କ ମହାକାଶ ବିଜ୍ଞାନ ଜ୍ଞାନ ବୃଦ୍ଧିରେ ପ୍ଲାନେଟାରିୟମ୍ ଯଥେଷ୍ଟ ମାତ୍ରାରେ ସହାୟକ ହେବ ।