ନୂଆଦିଲ୍ଲୀ:ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଶନିବାର ସକାଳେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ୯୭ ବର୍ଷୀୟ ଲାଲକୃଷ୍ଣ ଆଡଭାନୀ କିଛି ମାସରୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରିଆସୁଛନ୍ତି। ଗତ ୪-୫ ମାସ ମଧ୍ୟରେ ସେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇସାରିଥିବା ବେଳେ ଶନିବାର ସେ ଚତୁର୍ଥ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ମାସରେ, ଜୁଲାଇ ୩ରେ, ଜୁନ୍ ୨୬ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ସ୍ନାୟୁବିଜ୍ଞାନ ବିଭାଗର ତତ୍ତ୍ୱାବଧାନରେ
ଏକ ଛୋଟ ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ଆଡ଼ଭାନୀ ୧୯୨୭ ମସିହା ୮ ନଭେମ୍ବରରେ କରାଚିଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୪୨ରେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନରେ ଯୋଗ ଦେଇ ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ସଭାପତି ଥିଲେ। ପୁନର୍ବାର ୧୯୯୩ ରୁ ୧୯୯୮ ମସିହା ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସଭାପତି ହୋଇଥିଲେ। ଏହାସହିତ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ଚଳିତବର୍ଷ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ସେ ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନପାରିବାରୁ ତାଙ୍କ ବାସଭବନରେ ଭରତ ରତ୍ନ ଦିଆଯାଇଥିଲା।