ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍ ଦ୍ବାରା ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ମଟକା ନିହତ ହୋଇଛି । ଉତ୍ତରପ୍ରଦେଶର ମିରଟ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ମଟକାର ଏନକାଉଣ୍ଟର କରିଛି ସ୍ପେଶାଲ ଟାକ୍ସ ଫୋର୍ସ । ଦୀପାବଳି ଠାରୁ ଡବଲ ମର୍ଡର ମାମଲାରେ ପୋଲିସ ତାକୁ ଖୋଜୁଥିଲା। ସେଥିପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ସୋନୁ ଗ୍ୟାଙ୍ଗ ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଥିଲା । ତେଣୁ ସ୍ପେଶାଲ ଟିମ୍ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ମଟକା ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ତାକୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋନୁର ମୃତ୍ୟୁ ହୋଇଛି । ପୂର୍ବରୁ ମଧ୍ୟ ସୋନୁ ନାଁରେ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଏକ ଡର୍ଜନରୁ ଅଧିକ ଲୁଟ୍ ଏବଂ ହତ୍ୟା ମାମଲା ରହିଛି।
ପ୍ରକାଶଥାଉ କି, ଦୀପାବଳି ଦିନ ରାତିରେ ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ପରିବାର ଦୀପାବଳି ପାଳନ କରୁଥିବାବେଳେ ସୋନୁ ମଟକା ଏବଂ ତା’ର ଜଣେ ସାଥି ପୂରା ପରିବାରକୁ ଘେରି ନେଇଥିଲେ । ଏହି ସମୟରେ ସୋନୁ ୪୦ ବର୍ଷୀୟ ଜଣେ ବ୍ୟକ୍ତି ଏବଂ ତାଙ୍କର ୧୬ ବର୍ଷୟୀ ପୁତୁରାଙ୍କୁ ଗୁଳି କରି ହତ୍ୟା କରିଥିଲା। ଏଥିରେ ଆଉ ଜଣେ ୧୦ ବର୍ଷୀୟ ନାବାଳକ ମଧ୍ୟ ଆହତ ହୋଇଥିଲେ । ଏହାପରେ ସୋନୁ ଫେରାର ହୋଇଯାଇଥିବା ବେଳେ ସେବେଠୁ ପୋଲିସ ତାକୁ ଖୋଜୁଥିଲା ।