ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକାଧିକ ସ୍କୁଲକୁ ଶନିବାର ସକାଳୁ ବୋମାମାଡ଼ ଧମକ ମିଳିଥିଲା। ଆରକେ ପୁରମସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ସମେତ ଅନେକ ସ୍କୁଲକୁ ବୋମାମାଡ଼ ପାଇଁ ଧମକପୂର୍ଣ ଇ-ମେଲ ମିଳିଥିଲା। ସୂଚନା ମିଳିବା ମାତ୍ରେ ବିଦ୍ୟାଳୟରେ ଭୟର ବାତାବରଣ ଖେଳିଯାଇଥିଲା। ସ୍କୁଲ୍ ମ୍ୟାନେଜମେଣ୍ଟ ତୁରନ୍ତ
ଦିଲ୍ଲୀ ପୁଲିସ ଓ ଅଗ୍ନିଶମ ବିଭାଗକୁ ଏହି ଧମକପୂର୍ଣ୍ଣ ଇମେଲ୍ ବିଷୟରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା।
ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ସହିତ ଅନ୍ୟ କିଛି ବିଦ୍ୟାଳୟରୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଥିଲା। ସକାଳ ୬ଟାରେ ସ୍କୁଲ୍ ମ୍ୟାନେଜମେଣ୍ଟ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ସ୍କୁଲ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ପ୍ରକାଶଥାଉ କି, ଶୁକ୍ରବାର ମଧ୍ୟ ଦିଲ୍ଲୀର ଇଷ୍ଟ ଅଫ୍ କୈଳାସ ଡିପିଏସ୍, ସାଲୱାନ ପବ୍ଲିକ ସ୍କୁଲ, ମଡର୍ଣ୍ଣ ସ୍କୁଲ ଏବଂ କେମ୍ବ୍ରିଜ୍ ସ୍କୁଲକୁ ବୋମା ଧମକ ମିଳିଥିଲା। ସେହିପରି ସୋମବାର ଦିନ ଦିଲ୍ଲୀର ପ୍ରାୟ ୪୦ଟି ସ୍କୁଲକୁ ସମାନ ଢଙ୍ଗରେ ଟାର୍ଗେଟ କରାଯାଇ ବୋମାମାଡ଼ ଧମକ ଦିଆଯାଇଥିଲା।