ସାନଫ୍ରାନ୍ସିସ୍କୋ : ଚାଟ୍ଜିପିଟିକୁ ବିକଶିତ କରିଥିବା ଅଗ୍ରଣୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଓପନ୍ ଏଆଇର ପୂର୍ବତନ ଗବେଷକ ତଥା ୨୬ ବର୍ଷୀୟ ଭାରତୀୟ ଆମେରିକୀୟ ଯୁବକ ସୁଚିର ବାଲାଜୀଙ୍କ ମୃତଦେହ ଆମେରିକାର ସାନ ଫ୍ରାନସିସ୍କୋସ୍ଥିତ ଫ୍ଲାଟରୁ ଉଦ୍ଧାର ହୋଇଛି। ନିକଟରେ ସୁଚିର ଓପନ ଏଆଇର କାର୍ଯ୍ୟକାରିତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ।
ସାନ୍ ଫ୍ରାନ୍ସିସ୍କୋ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁଚିର କିଛି ଦିନ ହେବ ନିଜ ଘରୁ ବାହାରକୁ ବାହାରୁ ନଥିଲେ। ତାଙ୍କ ବନ୍ଧୁ ଏବଂ ସହକର୍ମୀମାନେ ତାଙ୍କୁ ବାରମ୍ବାର ଫୋନ କରୁଥିଲେ ସୁଦ୍ଧା କୌଣସି ଉତ୍ତର ମିଳିନଥିଲା। ସେଥିପାଇଁ କିଛି ବନ୍ଧୁ ଏବଂ ସହକର୍ମୀ ତାଙ୍କ ଫ୍ଲାଟରେ ପହଞ୍ଚିଥିବା ବେଳେ କବାଟ ଭିତରପଟୁ ବନ୍ଦ ଥିଲା। ତେଣୁ ସେମାନେ ପୋଲିସକୁ ସୂଚନା ଦେବାପରେ ପୋଲିସ କବାଟ ଭାଙ୍ଗି ଭିତରେ ସୁଚିରଙ୍କ ମୃତଦେହ ଦେଖିବାକୁ ପାଇଥିଲା। ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ତେବେ ଏହି ଘଟଣା ନଭେମ୍ବର ୨୬ ତାରିଖରେ ଘଟିଥିବା ବେଳେ ଡିସେମ୍ବର ୧୪ତାରିଖରେ ସାମ୍ନାକୁ ଆସିଛି।
ପ୍ରକାଶଥାଉ କି, ନିକଟରେ ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେବା ସମୟରେ ସୁଚିର ଅଭିଯୋଗ କରିଥିଲେ ଯେ, ଓପନ୍ ଏଆଇର କାର୍ଯ୍ୟଶୈଳୀ ଇଣ୍ଟରନେଟ ଇକୋସିଷ୍ଟମ ଏବଂ ଏଥିରେ ଜଡିତ ବ୍ୟବସାୟ ଓ ଲୋକଙ୍କ ପାଇଁ ହାନିକାରକ। କାରଣ ସେମାନଙ୍କ ତଥ୍ୟକୁ ବିନା ସହମତିରେ ଓପନ୍ ଏଆଇ ଦ୍ଵାରା ବ୍ୟବହାର କରାଯାଉଛି। ଏହାସହିତ ଓପନ୍ ଏଆଇ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ ନକରି କପିରାଇଟ୍ ସାମଗ୍ରୀ ବ୍ୟବହାର କରୁଥିବା କହିଥିଲେ।