ନୂଆଦିଲ୍ଲୀ: ସ୍ବିଜରଲାଣ୍ଡ ସରକାର ଭାରତୀୟ କମ୍ପାନୀଗୁଡ଼ିକୁ ଦେଇଛନ୍ତି ଶକ୍ତ ଝଟକା । ସୁଇସ୍ ସରକାର ପକ୍ଷରୁ ଭାରତକୁ ଦିଆଯାଇଥିବା ମୋଷ୍ଟ ଫେଭର୍ଡ ନେସନ (ଏମ୍ଏଫ୍ଏନ୍) ମାନ୍ୟତାକୁ ପ୍ରତ୍ୟାହାର କରିନେଇଛନ୍ତି । ଏହି କ୍ରମରେ ଭାରତ ଏବେ ଆଉ ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର ହୋଇନାହିଁ। ସେଠାକାର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୁଇଜରଲାଣ୍ଡ ଏବଂ ୟୁରୋପୀୟ ୟୁନିଅନରେ କାର୍ଯ୍ୟ କରୁଥିବା ସମସ୍ତ ଭାରତୀୟ କମ୍ପାନୀଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ଟିକସ ଦେବାକୁ ପଡ଼ିବ । ଭାରତୀୟ କମ୍ପାନୀଗୁଡ଼ିକ ଆୟ ଉପରେ ୧୦ ପ୍ରତିଶତ ଟିକସ ଦେବାପାଇଁ ଧାର୍ଯ୍ୟ କରାଯାଇଛି । ଏହା ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ୧ ତାରିଖରୁ ଲାଗୁ ହେବ ।
ଡବଲ ଟ୍ୟାକ୍ସ ଆଭଏଡାନ୍ସ ଏଗ୍ରିମେଣ୍ଟ (ଡିଟିଏଏ) ଅଧୀନରେ ସୁଇଜରଲାଣ୍ଡ ଭାରତକୁ ଏମ୍ଏଫ୍ଏନ୍ ରାଷ୍ଟ୍ରର ମାନ୍ୟତା ଦେଇଥିଲା । କିନ୍ତୁ ଡିସେମ୍ବର ୧୧ ରେ ସୁଇଜରଲାଣ୍ଡର ଅର୍ଥ ବିଭାଗ ଭାରତ ସହିତ ଡିଟିଏଏ ମାମଲାରେ ଏମ୍ଏଫ୍ଏନ୍ ସ୍ଥିତିକୁ ସ୍ଥଗିତ ରଖାଯାଇଥିବା ନେଇ ଏକ ବିବୃତ୍ତି ଜାରି କରିଥିଲା। ତେବେ ଭାରତୀୟ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ପରେ ସୁଇଜରଲାଣ୍ଡ ଏପରି ପଦକ୍ଷେପ ନିଆଯାଇଥିବା ଏହି ଘୋଷଣାରେ କୁହାଯାଇଛି । ଗତବର୍ଷ ନେସଲେ କମ୍ପାନୀ ସହିତ ସମ୍ବନ୍ଧିତ ଏକ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ ଯେ, ଡିଟିଏଏ ଲାଗୁ କରିବାକୁ ହେଲେ ଭାରତୀୟ ଆୟକର ଆଇନ୍ ଅଧୀନରେ ସ୍ପଷ୍ଟ ସୂଚନା ଦିଆଯିବା ଜରୁରୀ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଧ୍ୟାନରେ ରଖି ସୁଇଜରଲାଣ୍ଡ ସରକାର ଏହି ପଦକ୍ଷେପ ନେଇଛନ୍ତି ।