ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ କୃଷି କ୍ଷେତ୍ର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି । କୃଷି କ୍ଷେତ୍ରରେ ସହାୟତା ଓ ବର୍ଦ୍ଧିତ ଖର୍ଚ୍ଚର ଭରଣା ପାଇଁ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି ଆରବିଆଇ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଥିବା ଏହି ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ନେଇ ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜାନୁଆରି ୧ରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ୟାଙ୍କମାନଙ୍କୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଏ ପ୍ରସଙ୍ଗରେ କୃଷକମାନଙ୍କ ମଧ୍ୟରେ ସଚେତନା ବୃଦ୍ଧି ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, କୃଷକମାନଙ୍କ ଉପରେ ମୁଦ୍ରାସ୍ଫୀତିର ବର୍ଦ୍ଧିତ ପ୍ରଭାବ ଏବଂ କୃଷି ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଋଣ ସୀମାକୁ ବୃଦ୍ଧି କରାଯାଇଛି । ଆରବିଆଇର ଏହି ପଦକ୍ଷେପର ପ୍ରମୁଖ ଉଦ୍ଦେଶ୍ୟ କୃଷକମାନଙ୍କୁ ବର୍ଦ୍ଧିତ ଆର୍ଥିକ ସୁବିଧା ପ୍ରଦାନ କରିବା, ବନ୍ଧକ ସମସ୍ୟାର ସମାଧାନ, ସେମାନଙ୍କର ପରିଚାଳନାଗତ ଏବଂ ଉନ୍ନୟନମୂଳକ ଆବଶ୍ୟକତା ପୂରଣ ତଥା ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା । ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ପ୍ରଥମ ଥର ପାଇଁ ଏନେଇ ଘୋଷଣା ହୋଇଥିଲା।