ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଶୀତ। ଗତ କିଛି ଦିନ ହେଲାଣି ରାଜ୍ୟରେ ପାରଦ ତଳକୁ ଖସିବାରେ ଲାଗିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହର ଜାରି ରହିବ । ୨୪ ଘଣ୍ଟା ଭିତରେ ଜାଡ଼ ଆହୁରି ବଢ଼ିବାର ଆଶଙ୍କା ରହିଛି । ଏନେଇ ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଳାହାଣ୍ଡି ଓ କନ୍ଧମାଳରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ । ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ପବନର ଦିଗ ପରିବର୍ତ୍ତନକୁ ନେଇ ବଙ୍ଗୋପସାଗରରେ ଏକ ଅବପାତ ସକ୍ରିୟ ରହିଛି । ଯାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯେଉଁକାରଣରୁ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବ ।ବର୍ଷା ସାଙ୍ଗକୁ ଶୀତ ମଧ୍ୟ ବଢ଼ିବ ।