ବେଙ୍ଗାଲୁରୁ: ସାରା ଦେଶରେ ଏଆଇ ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ମାମଲା ଆଲୋଡନ ସୃଷ୍ଟି କରିଛି । ଏହି ମାମଲାରେ ଅତୁଲଙ୍କ ପତ୍ନୀଙ୍କୁ ନିକିତା ସିଂହାନିଆଙ୍କ ସମେତ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପୋଲିସ । ବେଙ୍ଗଲୁରୁ ପୋଲିସ୍ ଅଭିଯୁକ୍ତଙ୍କୁ ଗୁରୁଗ୍ରାମରୁ ଉଠାଇ ଆଣିଥିଲା। ସେମାନେ ପୋଲିସ ଭୟରେ ପ୍ରୟାଗରାଜରେ ଲୁଚିଥିଲେ। ଏନେଇ ବେଙ୍ଗାଲୁରୁ ପୋଲିସକୁ ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ସହିତ ରିମାଣ୍ଡରେ ନିଆଯାଇଥିଲା । ଏହି ମାମଲାରେ ସମ୍ପୃକ୍ତ ଥିବା ଆଉଜଣେ ଅଭିଯୁକ୍ତ ଫେରାର ଅଛନ୍ତି।
ସୂଚନାଯୋଗ୍ୟ ଯେ, ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା। ମୃତ ଅତୁଲଙ୍କ ଭାଇ ବିକାଶ କୁମାର ବେଙ୍ଗାଲୁରୁର ମାରାଥଲି ଥାନାରେ ଦେଇଥିବା ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ ନ୍ୟାୟ ସଂହିତା ଧାରା ୧୦୮ ଅନୁଯାୟୀ ଆତ୍ମହତ୍ୟା ପାଇଁ ଉସୁକେଇବା ଭଳି ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।