ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ସମସ୍ୟା ବଢ଼ାଇଲେ ଦେଶର ମଧ୍ୟବର୍ତ୍ତୀକାଳୀନ ସରକାର । ହସିନା ପ୍ରାୟ ୩୫୦୦ ଲୋକଙ୍କୁ ଜବରଦସ୍ତ ନିଖୋଜ କରାଇଥିବା ଅଭିଯୋଗ ହୋଇଥିବା ସୂଚନା ମିଳିଛି।
ଅବସରପ୍ରାପ୍ତ ଜଷ୍ଟିସ ମେନୁଲ ଇସଲାମ ଚୌଧୁରୀଙ୍କ ନେତୃତ୍ୱରେ ଏକ ତଦନ୍ତ କମିଶନ ଗଠନ କରାଯାଇଥିବା ବେଳେ ଏଥିରେ ପାଞ୍ଚଜଣ ସଦସ୍ୟ ଅଛନ୍ତି। ତଦନ୍ତ କମିଶନ ମହମ୍ମଦ ୟୁନୁସ ସରକାରଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟର ନାମ ‘ଅନଫୋଲ୍ଡିଂ ଦି ଟ୍ରୁଥ୍’ ରଖାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ୩୫୦୦ରୁ ଅଧିକ ଲୋକଙ୍କ ବାଧ୍ୟତାମୂଳକ ନିଖୋଜ ଘଟଣାରେ ଶେଖ ହସିନା ସମ୍ପୃକ୍ତ ଅଛନ୍ତି। ହସିନାଙ୍କ ସହିତ ତାଙ୍କ ପ୍ରତିରକ୍ଷା ପରାମର୍ଶଦାତା ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ ଅହମ୍ମଦ ସିଦ୍ଦିକି, ଟେଲି ଯୋଗାଯୋଗର ପୂର୍ବତନ ନିର୍ଦ୍ଦେଶକ ଜିଆ-ଉଲ-ଅହସାନ ଏବଂ ବହୁ ପୁଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।
ରିପୋର୍ଟରେ ରାପିଡ୍ ଆକ୍ସନ୍ ବାଟାଲିୟନ(ଆରଏବି) ଭଙ୍ଗ କରିବାକୁ ମଧ୍ୟ ସୁପାରିଶ କରାଯାଇଛି। କାରଣ ହସିନା ଏହି ବାଟାଲିୟନ ସହାୟତାରେ ଲୋକଙ୍କୁ ନିର୍ଯାତନା ଦେଉଥିବା କୁହାଯାଇଛି। ଏହି ରିପୋର୍ଟରେ ଲୋକଙ୍କୁ ବାଧ୍ୟତାମୂଳକ ନିଖୋଜ ହେବା ନେଇ ଆୟୋଗ ୧୬୭୬ଟି ଅଭିଯୋଗ ହୋଇଥିବା କୁହାଯାଇଛି। ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୫୮ ଟି ମାମଲା ରୁଜୁ ହୋଇଛି। ତେବେ ଆକଳନ ଅନୁଯାୟୀ ଏହି ନିଖୋଜ ସଂଖ୍ୟା ୩୫୦୦ଅତିକ୍ରମ କରିବ ବୋଲି ଆୟୋଗ କହିଛି।