କାକଚିଙ୍ଗ: ଥମୁନି ମଣିପୁର ହିଂସା । ଶନିବାର ପୁଣିଥରେ ଉଗ୍ରବାଦୀ ମାନେ ଏକ ହତ୍ୟାକାଣ୍ଡ ଘଟାଇଛନ୍ତି। କାକଚିଙ୍ଗ ଜିଲ୍ଲାରେ କାମ ସାରି ଘରକୁ ଫେରୁଥିବା ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୫.୨୦ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏହି ଘଟଣା ଘଟିଥିଲା । କାକଚିଙ୍ଗ ଜିଲ୍ଲାର କିରାକରେ ନିର୍ମାଣ କାର୍ଯ୍ୟ ସାରି ସାଇକେଲରେ ୨ ଶ୍ରମିକ ଫେରୁଥିବାବେଳେ ରାସ୍ତାରେ କିଛି ଉଗ୍ରବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ଉଭୟ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ମୃତକଙ୍କ ନାମ ସୁନାଲାଲ କୁମାର ଏବଂ ଦଶରଥ କୁମାର ହୋଇଥିବା ବେଳେ ଉଭୟ ବିହାରର ଯାଦବପୁର ଥାନା ଅନ୍ତର୍ଗତ ଗୋପାଳଗଞ୍ଜ ଜିଲ୍ଲାର ରାଜୱାହି ଗାଁର ବାସିନ୍ଦା। ଅପରପକ୍ଷରେ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।