ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ଆମ୍ ଆଦମୀ ପାର୍ଟି (ଆପ୍) ତାହାର ଚତୁର୍ଥ ତଥା ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ମୋଟ ୩୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ଆସନରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିସୀ କାଲକାଜୀ ଏବଂ ସୌରଭ ଭରଦ୍ୱାଜ ଗ୍ରେଟର କୈଳାସ ଆସନରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି ।
ଆପ୍ ସମ୍ପ୍ରତି କସ୍ତୁରବା ନଗରରୁ ବିଧାୟକ ଥିବା ମଦନ ଲାଲଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ରମେଶ ପେହଲୱାନଙ୍କୁ ନିଜର ପ୍ରାର୍ଥୀ କରିଛି । ରମେଶ ପେହଲୱାନ ଓ ତାଙ୍କ ପତ୍ନୀ କାଉନସିଲର କୁସୁମ ଲତା ରବିବାର ପୂର୍ବାହ୍ନରେ ବିଜେପି ଛାଡି ଆପରେ ସାମିଲ ହୋଇଥିଲେ । ତାଲିକାରେ ସ୍ଥାନ ପାଇଥିବା କିଛି ପ୍ରମୁଖ ନେତାଙ୍କ ମଧ୍ୟରେ ଗୋପାଳ ରାୟ ଅନ୍ତର୍ଭୁକ୍ତ । ଦଳ ତାଙ୍କୁ ବାବରପୁର ଆସନରୁ, ଅମାନତୁଲ୍ଲା ଖାନ୍ଙ୍କୁ ଓଖଲା ଏବଂ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ଶକୁର ବସ୍ତିରୁ ପ୍ରାର୍ଥୀ ଘୋଷଣା କରିଛି । ତେବେ ନୂଆଦିଲ୍ଲୀ ଆସନରୁ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ଚଳିତ ଥର ଅରବିନ୍ଦ କଡା ମୁକାବିଲାର ସମ୍ମୁଖୀନ ହେବେ ବୋଲି କୁହାଯାଉଛି ।
ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି, ଆପ୍ ସମସ୍ତ ୭୦ଟି ଆସନ ନିମନ୍ତେ ନିଜର ପ୍ରାର୍ଥୀ ଘୋଷଣା କରିବା ସହିତ ପୂର୍ଣ୍ଣ ପ୍ରସ୍ତୁତି ସହ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି । କେଜରିୱାଲଙ୍କ ନେତୃତ୍ୱରେ ଦଳ ଜନସାଧାରଣଙ୍କ ନିକଟରେ ପହଞ୍ଚୁଛି ଏବଂ ଆଉ ପାଞ୍ଚବର୍ଷ ସରକାର ଗଢିବା ସୁଯୋଗ ଦେବାକୁ ନିବେଦନ କରୁଛି ।