ମୁମ୍ବାଇ: ବହୁ ବିଚାର ବିମର୍ଷ ପରେ ଛିଡି଼ଲା ଅଙ୍କ। ଶପଥ ନେଲେ ୩୯ ମନ୍ତ୍ରୀ । ରବିବାର ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ ମହାୟୁତି ସରକାରର ସମ୍ପ୍ରସାରଣ ହୋଇଛି। ନାଗପୁରସ୍ଥିତ ରାଜଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିବା ବେଳେ ଏଥିରେ ବିଜେପି, ଶିବସେନା, ଏନସିପିର ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ତେବେ ଏହି ମନ୍ତ୍ରୀମଣ୍ଡଳର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ।
ଶପଥଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାବିସଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାୱର ମଧ୍ୟ ଉପସ୍ଥିତ ଥିଲେ । କ୍ୟାବିନେଟ ସମ୍ପ୍ରସାରଣରେ ମୋଟ ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏଥିମଧ୍ୟରୁ ବିଜେପିର ୨୦, ଶିବସେନା ସିନ୍ଦେ ଗୋଷ୍ଠୀର ୧୦ ଏବଂ ଏନସିପି ଗୋଷ୍ଠୀର ୯ ବିଧାୟକ ରହିଛନ୍ତି । ବିଜେପିରୁ ଚନ୍ଦ୍ରଶେଖର ବାୱନକୁଲେ, ରାଧାକ୍ରିଷ୍ଣ ଭିଖେ ପାଟିଲ, ଆଶିଷ ସେଲାର, ଚନ୍ଦ୍ରକାନ୍ତ ପାଟିଲ, ପଙ୍କଜ ମୁଣ୍ଡେ, ମଙ୍ଗଳ ପ୍ରତାପ ଲୋଧା, ଗଣେଶ ନାୟକ, ଗିରୀଶ ମହାଜନ, ଅତୁଲ ସାବେ, ଜୟକୁମାର ରାୱଲ ଆଦି ପ୍ରମୁଖ ନେତା ଶପଥ ନେଇଛନ୍ତି । ସେହିପରି ଶିବସେନାର ଦାଦା ଭୁସେ, ଶମ୍ଭୁରାଜ ଦେଶାଇ, ସଞ୍ଜୟ ରାଠୋର, ଗୁଲାବରାଓ ପାଟିଲ ଏବଂ ଉଦୟ ସାମନ୍ତ ଆଦି ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଏନସିପିର ମାଣିକରାଓ କୋକଟେ, ଦତ୍ତାତ୍ରେୟ ବିଠବା ଭରନେ, ହସନ ମୁସରିଫ, ଅଦିତି ସୁନୀଲ ଟାଟକାରେ ଏବଂ ଧନଞ୍ଜୟ ମୁଣ୍ଡେ ଆଦି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।