ପୁରୀ : ପବିତ୍ର ଧନୁ ସଂକ୍ରାନ୍ତି ଅବସରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି । ଏହି ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ତଥା ଦୀର୍ଘ ୧ ମାସ ଧରି ଚାଲିିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ଼ଝିଲି, ଝିଲି, ବଡ଼ବଡା, କାକରା, ଅମାଲୁ, ଏଣ୍ଡୁରି, ଲଡୁ ଓ ଖଇର ଚୁଳ ପରି ବିଭିନ୍ନ ଭୋଗ ଲାଗି କରାଯିବ। ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭିତର ଶୋଧ, ମହାପ୍ରଭୁଙ୍କ ମଙ୍ଗଳ ଆଳତି, ତଡପଲାଗି, ଅବକାଶ, ବେଶ ଶେଷ ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ। ପହିଲି ଭୋଗ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। କିମ୍ଭଦନ୍ତୀ କହେ, ମା ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଠାରୁ ଦୀର୍ଘ ଏକମାସ ଧରି ନିଜ ବାପ ଘରକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି ।