ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଅବପାତଟି ତାମିଲନାଡୁ ଉପକୂଳ ମୁହାଁ ହେବ। ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ଜାରି ରହିବ। ୧୭ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାରେ ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ବର୍ଷା ପ୍ରଭାବରେ କିଛି ସ୍ଥାନରେ ପାରଦ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ରାଜ୍ୟରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡି ଓ ନୂଆପଡ଼ାରେ ୩୦ ଡିଗ୍ରୀ ସେଲସିୟସ୍ ରହିଥିଲା। ରାଉରକେଲା ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ୮ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା।