ନୂଆଦିଲ୍ଲୀ : ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଏ । ବାଂଲାଦେଶକୁ ସ୍ୱତନ୍ତ୍ର ଦେଶ ପାହ୍ୟା ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲା ଭାରତ । ଡିସେମ୍ବର ୧୬, ୧୯୭୧ ରେ ଉଭୟ ଭାରତ ଏବଂ ବାଂଲାଦେଶ ପାକିସ୍ତାନ ଉପରେ ବିଜୟ ଉତ୍ସବ ପାଳନ କରନ୍ତି ଏବଂ ପ୍ରତିବର୍ଷ ଉଭୟ ଦେଶ ପରସ୍ପରର ଯୁଦ୍ଧ ଭେଟେରାନ ତଥା ସେବାୟତମାନଙ୍କୁ ଏହି ଉତ୍ସବରେ ଭାଗ ନେବାକୁ ଆମନ୍ତ୍ରଣ କରନ୍ତି। ଏହି ଅବସରରେ ମୁକ୍ତି ଯୁଦ୍ଧର ସ୍ମୃତି ସତେଜ ହୋଇଛି ଏବଂ ବାଂଲାଦେଶକୁ ଦଖଲ, ଅତ୍ୟାଚାର ଏବଂ ଜନ ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଭାରତ ଏବଂ ବାଂଲାଦେଶର ସଶସ୍ତ୍ର ବାହିନୀର ମିଳିତ ବଳିଦାନର ପ୍ରତୀକ ଅଟେ। ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର ପରାକାଷ୍ଠା ସହିତ ୨୦୦୦ ପାକିସ୍ତାନୀ ଯବାନଙ୍କୁ ରୋକିବାରେ ସମର୍ଥ ହୋଇଥିଲେ । ରାଜସ୍ଥାନର ଲଙ୍ଗେୱାଲା ଠାରେ ମାତ୍ର ୧୨୦ ଜଣ ଯବାନଙ୍କୁ ନେଇ ପାକିସ୍ତାନର ୨୦୦୦-୩୦୦୦ ସୈନ୍ୟ ଓ ୪୦ଟି ଟ୍ୟାଙ୍କକୁ ହରାଇବାରେ ସମର୍ଥ ହୋଇଥିଲେ ମେଜର କୁଲଦୀପ ସିଂ ଚାନ୍ଦପୁରୀ ।ତେବେ ଡିସେମ୍ବର ୪, ୧୯୭୧ରେ ଏହାକୁ ଭୁଲ ପ୍ରମାଣିତ କରିଥିଲେ ମେଜର କୁଲଦୀପ । ଯୋଜନା ଏବଂ ଦେଶପ୍ରେମ କିଭଳି ଏକ ବଡ ସେନାକୁ ପରାସ୍ତୁ କରିବାରେ ସକ୍ଷମ ହୋଇଥାଏ ତାହାର ଉଦାହରଣ ସୃଷ୍ଟି କରିଥିଲେ । ରାଜସ୍ଥାନର ଜୈସଲମେର ଠାରେ ଆଲ୍ଫା କମ୍ପାନୀ -୨୩ର ନେତୃତ୍ୱ ନେଉଥାନ୍ତି ଚାନ୍ଦପୁରୀ । ଅପ୍ରତ୍ୟାଶିତ ଭାବରେ ରାତିରେ ଆକ୍ରମଣ କରେ ପାକିସ୍ତାନ । ପ୍ରତିକୂଳ ପାଗ କାରଣରୁ ବାୟୁସେନା ମଧ୍ୟ ସହୟତା ପାଇଁ ନାସ୍ତିବାଚକ ଶୁଣାଏ । ତେବେ ହାର ମାନିବା ପରିବର୍ତ୍ତେ ନିଜ ଯବାନଙ୍କୁ ଉତ୍ସାହିତ କରିଥିଲେ ଚାନ୍ଦପୁରୀ । ବିଭିନ୍ନ ସ୍ଥାନରେ ଯୋଜନାବଦ୍ଧ ଭାବରେ ମାଇନ୍ସ ବିଛାଇବା ସହିତ ପୋଷ୍ଟ ବଞ୍ଚାଇବାକୁ ପ୍ରୟାସ କରିଥିଲେ ଚାନ୍ଦପୁରୀ ।ମାଇନ୍ସ କାରଣରୁ ପାକ ସେନାର ଅନେକ ଟ୍ୟାଙ୍କ ନଷ୍ଟ ହୋଇଯାଇଥିବା ବେଳେ ସୂର୍ୟ୍ୟୋଦୟ ପରେ ଭାରତୀୟ ବାୟୁସେନା ସହାୟତାରେ ପୋଷ୍ଟ ବଞ୍ଚାଇବା ସହିତ ବିଜୟ ହାସଲ କରିଥିଲା ଭାରତ । ଏହି ଯୁଦ୍ଧ ସମୟରେ ଭାରତର ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପାକିସ୍ତାନର ୨୦୦ ଯବାନ ପ୍ରାଣ ହରାଇଥିଲେ । ଏହା ସହିତ ପାକିସ୍ତାନର ୩୮ଟି ଟ୍ୟାଙ୍କ ନଷ୍ଟ କରି ଦେଇଥିଲେ ଭାରତୀୟ ଯବାନ । ଯୁଦ୍ଧରେ ଅସାଧାରଣ ପରାକ୍ରମ ପାଇଁ ଚାନ୍ଦପୁରୀଙ୍କୁ ମହାବୀର ଚକ୍ର ଏବଂ ଆଲ୍ଫା କମ୍ପାନୀ ୨୩ର ୧୦ ଜଣ ଯବାନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।