୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ମାଲକାନଗିରିର ସ୍ଥିତି ସଂଗୀନ ହୋଇପଡିଛି। ବନ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ବୁଧବାର ଅପରାହ୍ନରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହା ପ୍ରଥମ ଥର ବନ୍ୟାଞ୍ଚଳ ପରିଦର୍ଶନ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଅଂଚଳ ଗସ୍ତ କରିବେ। ଲଗାତାର ପ୍ରବଳ ବର୍ଷା ପରେ ମାଲକାନଗିରିର ବହୁସ୍ଥାନରେ ଲୋକେ ପାଣି ଘେରରେ ରହିଥିଲେ।ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ମନ୍ତ୍ରୀ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏସଆରସିଙ୍କ ସମେତ ଦୁଇ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗୋଟିଏ ଏନଡିଆରଏଫ ଟିମ ସମେତ ୬ଟି ଓଡ୍ରାଫ ଓ ୫ଟି ଅଗ୍ନିଶମ ଟିମ୍ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ ।
ପ୍ରକାଶଥାଉ କି, ମାଲକାନଗିରିରେ ପ୍ରବଳ ବର୍ଷା ଓ ଜଳବନ୍ଦୀ ଯୋଗୁଁ ବହୁ ଜନଜୀବନ କ୍ଷୟକ୍ଷତି ହୋଇଛି। ବନ୍ୟା ଯୋଗୁଁ ପ୍ରାୟ ୧,୭୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ପ୍ରପୀଡ଼ିତ ଅଂଚଳର ସମସ୍ତଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ । ଘର ଭାଙ୍ଗିବା, ଫସଲ ନଷ୍ଟର ଆକଳନ କରାଯିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା କରାଯିବ।