ଆମକୁ ବଞ୍ଚିବା ପାଇଁ ଯେମିତି ଖାଦ୍ୟ, ଜଳ, ବାୟୁ ଦରକାର ହୋଇଥାଏ, ସେହିପରି ସୁସ୍ଥ ଶରୀର ପାଇଁ ଭଲ ନିଦର ମଧ୍ୟ ଆବଶ୍ୟକତା ରହିଛି। ସଠିକ୍ ପରିମାଣରେ ଶୋଇବା ଦ୍ଵାରା ଶରୀରକୁ ଫୂର୍ତ୍ତି ଲାଗେ, କାମ କରିବାକୁ ଶକ୍ତି ମିଳିଥାଏ, ସତେଜ ଲାଗିଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ ନିହାତି ଆବଶ୍ୟକ । ନିଦ୍ରାର ଅଭାବ ମଧୁମେହ, ମେଦବହୁଳତା, ହୃଦ ରୋଗ, ଆଲଜାଇମର ଓ ଡିପ୍ରେସନ୍ ଭଳି ସମସ୍ୟା ସୃଷ୍ଟି କରିପାରେ। ପ୍ରତିଦିନ ୮ ଘଣ୍ଟା ଶୋଇବା ଉଚିତ। ବର୍ତ୍ତମାନ ସମୟରେ ନିଦ୍ରାହୀନତା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏହାର ବିଭିନ୍ନ କାରଣ ରହିଛି। ଗୋଟେ ଜାଗାରୁ ଆଉ ଗୋଟେ ସ୍ଥାନକୁ ପରିବର୍ତ୍ତନ କଲେ ନିଦ୍ରାହୀନତା ଦେଖାଦେଇଥାଏ। ଶୋଇବା ଗୃହ ସଫା ନଥିଲେ, ଅନ୍ଧାର ନ ଥିଲେ ନିଦ ହୋଇନଥାଏ।
ଶାରୀରିକ ସମସ୍ୟା ଯେପରିକି, ଗଣ୍ଠିବାତ ରୋଗ ଥିଲେ, ଗୋଡ଼ ହାତ ବିନ୍ଧା , ମେରୁଦଣ୍ଡ ଯନ୍ତ୍ରଣା ଭଳି ସମସ୍ୟା ଥିଲେ ନିଦ୍ରାହୀନତା ସମସ୍ୟା ଦେଖାଦିଏ। ବର୍ତ୍ତମାନ ସମୟରେ କାମର ଚାପ, ଆର୍ଥିକ ସମସ୍ୟା ଓ ପାରିବାରିକ କାରଣ ଯୋଗୁଁ ରାତିରେ ସଠିକ୍ ଭାବରେ ନିଦ ହେଉନି। ସାଧାରଣତଃ ଯୁବପିଢ଼ି ମାନେ ଶୋଇବାକୁ ଯିବା ବେଳେ ମୋବାଇଲର ବ୍ୟବହାର କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି । କାରଣ ମୋବାଇଲରୁ ବାହାରୁଥିବା ନୀଳ ରଶ୍ମୀ ଆଖିରେ ପଡ଼ିବା ଦ୍ୱାରା ନିଦ ହୁଏ ନାହିଁ। କେତେକ ଲୋକ ଟିଭି ଦେଖି ଦେଖି ଶୋଇବାକୁ ପସନ୍ଦ କରନ୍ତି। ହେଲେ ଶୋଇବାକୁ ଯିବାର ଅଧଘଣ୍ଟା କିମ୍ବା ଘଣ୍ଟାଏ ପୂର୍ବରୁ ଟିଭି ଓ ମୋବାଇଲର ବ୍ୟବହାର କରନ୍ତୁ ନାହିଁ।ନିଦ ନ ହେଲେ ମସ୍ତିଷ୍କକୁ ବିଶ୍ରାମ ମିଳିନଥାଏ। ଫଳରେ ଥକ୍କାପଣ, କାମ କରିବାରେ ଇଛା ନ ହେବା, ଆଖି ତଳ କଳାଦାଗ ପଡ଼ିବା, ମୁହଁରେ ବ୍ରଣ ବାହାରିବା, ଚୁଟି ଝଡ଼ିବା ଭଳି ସମସ୍ୟା ହୋଇଥାଏ। ନିଦ୍ରାହୀନତା ଯୋଗୁଁ ଶାରୀରିକ ସମସ୍ୟା ଉଚ୍ଚ ରକ୍ତଚାପ, ଦୃଦ୍ରୋଗ, ମେଦବହୁଳତା ଓ ମଧୁମେହ ଭଳି ରୋଗ ମଧ୍ୟ ହୋଇପାରେ। ତା’ଛଡ଼ା ନିଦ୍ରାହୀନତା ଯୋଗୁଁ ମାନସିକ ରୋଗ ହେବାର ମଧ୍ୟ ଆଶଙ୍କା ବଢ଼ିଯାଏ।ରାତିରେ ନିଦ ନ ହେଲେ ଅଧିକାଂଶ ଲୋକ ମନଇଛା ନିଦ ବଟିକା ଖାଇଥାନ୍ତି। ନିଦ ବଟିକା ଖାଇବା ଦ୍ୱାରା ନିଦ ତ ହୋଇଥାଏ କିନ୍ତୁ ଶରୀରରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାନ୍ତି। ସର୍ବଦା ପ୍ରାକୃତିକ ଉପାୟରେ ନିଦ ହେବାକୁ ଚେଷ୍ଟା କରନ୍ତୁ। ଆପର ଚାହିଁଲେ ଯୋଗ, ଆସନ, ପ୍ରାଣାୟାମ, ବ୍ୟାୟାମ ଆଦି କରିପାରିବେ। ଯାହାକି ଆପଣଙ୍କ ନିଦ ପୂରା କରିବା ସହ ଶରୀରକୁ ମଧ୍ୟ ଫିଟ୍ ରଖିବ। ଚାପ କିମ୍ବା ଅବସାଦ ଥିଲେ ସେଥିରୁ ମୁକୁଳିବାକୁ ଚେଷ୍ଟା କରନ୍ତୁ ଏବଂ ମନକୁ ହାଲୁକା କରନ୍ତୁ। ସେଥିପାଇଁ ମନ ଖୁସି ରଖନ୍ତୁ, ସ୍ଲୋ ମ୍ୟୁଜିକ୍ ଶୁଣନ୍ତୁ। ନିଦ୍ରା ଲାଗି ତେଲ ମସଲା ଯୁକ୍ତ ଖାଦ୍ୟ ଏବଂ ଜଙ୍କ ଫୁଡ୍ ଆଦି ପରିବର୍ତ୍ତେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ବିଶେଷ କରି ଭିଟାମିନ୍ ବି-୧୨ ଯୁକ୍ତ ଖାଦ୍ୟକୁ ସାମିଲ କଲେ ମେଲାଟୋନିନ୍ ହର୍ମୋନ୍ର କ୍ଷରଣ ବୃଦ୍ଧି ହୋଇ ଭଲ ନିଦ ହେବାରେ ସାହାଯ୍ୟ କରିବ।
ଭଲ ନିଦରେ ଶୋଇବେ କେମିତି
୧.ସବୁବେଳେ ଗୋଟେ ସମୟରେ ଶୁଅନ୍ତୁ ଓ ଉଠନ୍ତୁ। ଶୋଇବାର ସମୟ ସ୍ଥିର କରନ୍ତୁ।
୨.ଦିନରେ ଶୁଅନ୍ତୁ ନାହିଁ। ଯଦି ଦିନ ବେଳେ ନିଦ ଲାଗୁଛି, ତେବେ ୧୫ରୁ ୨୦ ମିନିଟ୍ ପାଇଁ ବିଶ୍ରାମ ନେଇପାରିବେ।
୩.ଶୋଉଥିବା ବେଡ୍ ବା ବିଛଣାକୁ କେବଳ ଶୋଇବା ପାଇଁ ବ୍ୟବହାର କରନ୍ତୁ। ବେଡ୍ ଉପରେ ଖାଇବା, ଟିଭି ଦେଖିବା ଆଦି କାର୍ଯ୍ୟ ପାଇଁ ବ୍ୟବହାର କରନ୍ତୁ ନାହିଁ।
୪.ସନ୍ଧ୍ୟା ୬ଟା ପରେ ଚା’, କଫି ପିଅନ୍ତୁ ନାହିଁ।
୫.ଧୂମପାନ ଓ ମଦ୍ୟପାନରୁ ଦୂରରେ ରହନ୍ତୁ।
୬.ନିୟମିତ ୩୦ରୁ ୪୫ ମିନିଟ୍ ପାଇଁ ବ୍ୟାୟାମ କରନ୍ତୁ। ବ୍ୟାୟାମ କରିବା ଦ୍ୱାରା ଭଲ ନିଦ ହୋଇଥାଏ।
୭.ରାତିରେ ତେଲ ମସଲା, ଆମିଷ ଜିନିଷ ଖାଆନ୍ତୁ ନାହିଁ ଏବଂ ରାତି ସମୟରେ ଅଳ୍ପ ପାଣି ପିଅନ୍ତୁ।
୮.ଶୋଇବାର ୩୦ ମିନିଟ୍ ପୂର୍ବରୁ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଏହାସହ ଶୋଇବା ବେଳେ ମୋବାଇଲକୁ ନିଜଠାରୁ ଦୂରରେ ରଖନ୍ତୁ।