ବାଲେଶ୍ବର: ଗୁରୁବାର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଛି। ଚାନ୍ଦିପୁରସ୍ଥିତ ‘ଆଇଟିଆର’ LC-III ଲଞ୍ଚପ୍ୟାଡରୁ ଏହି ଉତକ୍ଷେପଣ ହୋଇଥିବା ବେଳେ ଏଥିପାଇଁ ଲଞ୍ଚପ୍ୟାଡର ସାଢେ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଆଜି ସକାଳୁ ଗ୍ରାମବାସୀ ଘର ଛାଡି ଅସ୍ଥାୟୀ କ୍ୟାମ୍ପରେ ଆଶ୍ରୟ ନେଇଥିବା ବେଳେ ଏଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜୟଦେବକସବା ପାହି, ସାହାଜାନଗର ପାହି ଗ୍ରାମ, ଭୀମପୁର ପାହି, ତୁଣ୍ଡରା ପାହି ଗ୍ରାମ, ଖଡୁପାହି ଓ କୁସୁମୁଳୀ ସମେତ ଅନ୍ୟାନ୍ୟ ନିକଟବର୍ତ୍ତୀ ଅଞ୍ଚଳର ମୋଟ ୩,୧୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ଏଥିପାଇଁ ସମସ୍ତ ସୁବିଧା ସହ ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତି ଓ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି।
‘ଡିଆରଡିଓ’ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କ୍ଷେପଣାସ୍ତ୍ର ପରୀକ୍ଷଣ ସରିବା ପରେ ଜିଲ୍ଲା ପ୍ରଶାସନ ସ୍ଥାନାନ୍ତରିତ ଲୋକଙ୍କୁ ଗ୍ରାମକୁ ଫେରାଇ ଆଣିବ। ପୂର୍ବରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ଗୁରୁବାର ସକାଳଠାରୁ ସ୍ଥାନାନ୍ତର ଓ କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ସୂଚନା ଦିଆଯାଇଥିଲା । ଏନେଇ ବାଲେଶ୍ୱର ଏଡିଏମ୍ ନିରଞ୍ଜନ ବେହେରା କହିଛନ୍ତି ଯେ, ‘ଯେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି, ସେମାନଙ୍କର ରହିବା ଖାଇବା ପିଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟ କରାଯାଉଛି।’ ସେହିପରି ସ୍ଥାନୀୟ ଏସପିଙ୍କ ସୂଚନା ଅନୁଯାୟୀ ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ସୁବିଧା ପାଇଁ ୧୦୦ ରୁ ଊର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯିବ ସହ ପୋଲିସ ପ୍ରଶାସନ ପକ୍ଷରୁ ୧୫ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି।