ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହିତ ତାଙ୍କର ଆଲୋଚନା ଫଳପ୍ରଦ ହୋଇଛି ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟେକେ କହିଛନ୍ତି । ସୋମବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ଏବଂ ସାମୁଦ୍ରିକ ନିରାପତ୍ତା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ନିୟୋଜନତାରେ ବୃଦ୍ଧି ଘଟାଇବା ସମ୍ପର୍କରେ ଆଲୋଚନା କରିଥିବା ଜଣାଯାଇଛି ।
ରବିବାର ଭାରତର ଏନଏସ୍ଏ ଅଜିତ ଡୋଭାଲଙ୍କୁ ଭେଟିବା ପରେ ଦିସାନାୟେକେ କହିଛନ୍ତି, ସେମାନଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି । ସୂଚନାଯୋଗ୍ୟ ଯେ ଦିସାନାୟେକେଙ୍କର ତିନି ଦିନିଆ ଭାରତ ଗସ୍ତ ରବିବାର ଠାରୁ ଆରମ୍ଭ ହୋଇଛି । ସେ ଦେଶର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହୋଇଛି । ଭାରତର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ ମୁରୁଗାନ୍ ରାଷ୍ଟ୍ରପତି ଦିସାନାୟେକେଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ । ରବିବାର ସେ ଡୋଭାଲଙ୍କ ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସହିତ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ, ଯେଉଁଥିରେ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ରଣକୌଶଳାତ୍ମକ ସମ୍ପର୍କ ସମ୍ପ୍ରସାରିତ କରିବା ପ୍ରସଙ୍ଗ ସ୍ଥାନ ପାଇଥିଲା ବୋଲି ବିଶ୍ୱାସ କରାଯାଉଛି ।
ଦିସାନାୟେକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଏବଂ ବାଣିଜି୍ୟକ ସମ୍ପର୍କରେ ବୃଦ୍ଧି ଘଟାଇବାକୁ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଯୋଗଦେବେ । ତାହାସହିତ ବୋଧଗୟା ପରିଦର୍ଶନ କରିବେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାରେ ଥିବା ତାମିଲ ସମୁଦାୟ ସେମାନଙ୍କୁ କ୍ଷମତା ପ୍ରଦାନ କରିବା ନିମନ୍ତେ ୧୩ତମ ସଂଶୋଧନ କାର୍ଯ୍ୟକାରୀ କରିବାକୁ ଦାବି କରିଆସୁଛନ୍ତି । ୧୯୮୭ରେ ଭାରତ-ଶ୍ରୀଲଙ୍କା ରାଜିନାମା ପରେ ଏହି ସଂଶୋଧନ ଅଣାଯାଇଥିଲା ।