ଢାକା: ବାଂଲାଦେଶରେ ୨୦୨୫ ଶେଷ ଅଥବା ୨୦୨୬ ଆଦ୍ୟଭାଗରେ ନିର୍ବାଚନ କରାଯିବା ସମ୍ଭାବନା ରହିଛି । ଏହି ସୂଚନା ଦେଇଛନ୍ତି ଦେଶର ମଧ୍ୟବର୍ତ୍ତୀ ସରକାରର କାମଚଳା ମୁଖ୍ୟ ମହମ୍ମଦ ୟୁନୁସ । ଗତ ଅଗଷ୍ଟ ମାସରେ ଦେଶରେ ବ୍ୟାପକ ଆନ୍ଦୋଳନ ଓ ହିଂସାକାଣ୍ଡ ସହିତ ଶେଖ ହସିନାଙ୍କ ସରକାରକୁ ବିତାଡିତ କରାଯିବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ କାମଚଳା ସରକାର ଗଠନ କରାଯାଇଥିଲା । ସୋମବାର ୟୁନୁସ କହିଛନ୍ତି ନିର୍ବାଚନ ଆସନ୍ତା ବର୍ଷ ଶେଷ ଅଥବା ୨୦୨୬ ଆଦ୍ୟ ଭାଗରେ କରାଯାଇପାରେ ।
ମାଇକ୍ରୋଫାଇନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ନୋବେଲ ପୁରସ୍କାରରେ ସମ୍ମାନିତ ୮୪ ବର୍ଷ ବୟସ୍କ ୟୁନୁସଙ୍କ ଉପରେ ନିର୍ବାଚନ କରାଇବା ନିମନ୍ତେ ଚାପ ବଢିବାରେ ଲାଗିଛି । ଇତିମଧ୍ୟରେ ସେ କହିଛନ୍ତି ଯେ, ପ୍ରାୟ ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ତାଙ୍କ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ପୁନଃବାହାଲ କରିବା ଅତ୍ୟନ୍ତ ଜଟିଳ ଆହ୍ୱାନ ମନେହେଉଛି ।
ୟୁନୁସ କହିଛନ୍ତି, ରାଜନୈତିକ ଦଳଗୁଡିକ ଯଦି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଭଳି ସର୍ବନିମ୍ନ ସଂସ୍କାର ସହିତ ଶୀଘ୍ର ନିର୍ବାଚନ କରାଇବାକୁ ରାଜି ହୁଅନ୍ତି, ତେବେ ଦେଶରେ ନିର୍ବାଚନ ୨୦୨୫ ନଭେମ୍ବର ଶେଷସୁଦ୍ଧା ସମ୍ଭବ ହେବ । କିନ୍ତୁ ନିର୍ବାଚନ ସଂସ୍କାରର ପୂର୍ଣ୍ଣାଙ୍ଗ ତାଲିକା କାର୍ଯ୍ୟକାରୀ କରାଗଲେ ଆଉ କିଛିମାସ ଲାଗିଯିବ । ନିର୍ବାଚନ ପୂର୍ବରୁ ଏକ ତାଜା ଭୋଟର ତାଲିକାର ଆବଶ୍ୟକତା ରହିଛି । ସେଥିରେ ମିଥ୍ୟା ନାମଗୁଡିକୁ ବାଦ୍ ଦେବା ଏବଂ ନୂଆ ଭୋଟରମାନଙ୍କ ନାମ ଦରଜ କରାଇବାକୁ ହେବ । ୟୁନୁସ କହିଛନ୍ତି, ନିର୍ବାଚନ ହେଲେ ୧୦୦ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ବୋଲି ତାଙ୍କର ଆଶା ରହିଛି ।