ମୁମ୍ବାଇ,୧୬ା୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଥିବାବେଳେ ସେଥିରେ ୩୯ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଶିବସେନାର ଜଣେ ତିନିଥରର ବିଧାୟକ ନରେନ୍ଦ୍ର ଭୋଣ୍ଡେକରଙ୍କୁ ମନ୍ତ୍ରୀ ପଦ ଦିଆଯିବାକୁ ପ୍ରତିଶୃତି ମିଳିଥିଲା । କିନ୍ତୁ ତାହା ଦିଆନଯିବାରୁ ସେ ଏକାନଥ ସିନେ୍ଦଙ୍କ ନେତୃତ୍ୱାଧୀନ ଶିବସେନାର ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାର ଉପନେତା ଏବଂ ବିଦର୍ଭ ନିମନ୍ତେ ଦଳର ସଂଯୋଜକ ଭାବରେ କାର୍ଯ୍ୟ କରୁଥିଲେ । ଉକ୍ତ ପଦଗୁଡିକରୁ ସେ ଇସ୍ତଫା ଦେଇଥିବା ଜଣାଯାଇଛି । ତେବେ ବିଧାୟକ ପଦରୁ ସେ ଇସ୍ତଫା ଦେଇନଥିବା ଜଣାଯାଇଛି ।
ସେ ଏ ସମ୍ପର୍କରେ ଦଳର ନେତା ଏକନାଥ ସିନେ୍ଦ, ତାଙ୍କ ପୁଅ ଶ୍ରୀକାନ୍ତ ସିନେ୍ଦ ଏବଂ ବରିଷ୍ଠ ନେତା ଉଦୟ ସାମନ୍ତଙ୍କ ନିକଟକୁ ବାର୍ତ୍ତା ପଠାଇଥିଲେ ମଧ୍ୟ ତାହାର କୌଣସି ଉତ୍ତର ମିଳିନଥିଲା । ତାହାପରେ ସେ ଉକ୍ତ ପଦଗୁଡିକରୁ ଇସ୍ତଫା ଦେଇଥିବା କହିଛନ୍ତି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ନେତୃତ୍ୱରେ ରବିବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଥିବାବେଳେ ସେଥିରେ ବିଜେପିରୁ ୧୯, ଶିବସେନା (ସିନେ୍ଦ)ର ୧୧ ଏବଂ ଏନସିପି (ଅଜିତ)ର ୯ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ସେମାନଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ମୋଟ ୪୨ରେ ପହଞ୍ଚିଛି ।
ଭୋଣ୍ଡେକରଙ୍କ ବ୍ୟତୀତ ପିଆରଆଇ ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଆଥାୱାଲେ ମଧ୍ୟ ତାଙ୍କ ଦଳକୁ ଗୋଟିଏ ମନ୍ତ୍ରୀପଦ ମିଳିବା ନେଇ ଆଶା ରଖିଥିଲେ; କିନ୍ତୁ ତାହା କରାଯାଇନାହିଁ । ଆଥାୱାଲେ କହିଛନ୍ତି, ସେ ଏ ସମ୍ପର୍କରେ ଶାହ ଏବଂ ନଡ୍ଡାଙ୍କ ସହିତ ଆଲୋଚନା କରିବେ । କାରଣ ଫଡନାବିସ ତାଙ୍କ କଥା ରଖିନାହାନ୍ତି । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା ଏନସିପି ନେତା ଛଗନ ଭୁଜବଳଙ୍କୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉତ୍ସବରେ ଦେଖିବାକୁ ମିଳିନଥିଲା ।