ପୁରୀ: ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ଆନୁଷ୍ଠାନିକ ଭାବେ ଚାଷୀ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସମସ୍ତ ଚାଷୀ ଧାନକୁ ଭଲଭାବରେ ଶୁଖାଇ ଓ ସଫା କରି ମଣ୍ଡିକୁ ଆଣିବା ପାଇଁ ଏହି ରଥ ପ୍ରତ୍ୟେକ ଗ୍ରାମ ବୁଲି ମାଇକ ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରିବ।ଏଥିପାଇଁ ନିୟନ୍ତ୍ରିତ ବଜାର କମିଟି ସାକ୍ଷୀଗୋପାଳ ଓ ନିମାପଡା ତରଫରୁ ଦୁଇଟି ପ୍ରଚାର ରଥ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ହୋଇଛି । ଆସନ୍ତା ୩ ତାରିଖ ଠାରୁ ପିପିଲି, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ମଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ପୁରୀ ସଦର ଓ ସତ୍ୟବାଦୀ ବ୍ଲକ୍ ଅଞ୍ଚଳରେ ଜାନୁଆରୀ ୬ ତାରିଖରୁ ଏବଂ ଅନ୍ୟାନ୍ୟ ବ୍ଲକ୍ ଅଞ୍ଚଳ ଯଥା କଣାସ, ଗୋପ,ଅସ୍ତରଙ୍ଗ, କାକଟପୁର,ନିମାପଡା ଓ ଡେଲାଙ୍ଗ ବ୍ଲକ୍ ଅଞ୍ଚଳରେ ଜାନୁଆରୀ ୭ ତାରିଖରୁ ମଣ୍ଡି ଆରମ୍ଭ ହେବ।
ସଚେତନତା ରଥ ଶୁଭାରମ୍ଭ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସମବାୟ ସମିତି ସମୂହର ଉପ ନିର୍ଦ୍ଦେଶିକା ସୁନିତା ପତି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, ବରିଷ୍ଠ ସହକାରୀ ନିବନ୍ଧକ ସ୍ବରୂପ କୁମାର କର, ସାକ୍ଷୀ ଗୋପାଳ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଜିତେନ୍ଦୁ ଦାସ, ନିମାପଡା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।